ଗଣପ୍ରତାରଣାର ଖେଳ

ଡ. ସୁବାସ ଚନ୍ଦ୍ର ପାତ୍ର
୨୦୧୯ର ନିର୍ବାଚନ ତା’ ବାଟରେ ଚାଲିଗଲା, ହେଲେ ଛାଡ଼ି ଦେଇଗଲା ଅନେକ ଅସମାହିତ ପ୍ରଶ୍ନ। ନିର୍ବାଚନ ଏକ ପରୀକ୍ଷା ପରି, ପରୀକ୍ଷା ହେଲା, ତା’ର ଫଳ ବି ବାହାରିଲା। ରାଜନୈତିକ ଦଳଗୁଡ଼ିକ ଯେ ଯାହାର ବାଟରେ ଜିତିଲେ କିନ୍ତୁ ହାରିଗଲା ଭାରତ। ଲଜ୍ଜିତ ହେଲା ତା’ର ଗଣତନ୍ତ୍ର।
ସବୁ ନିର୍ବାଚନଠୁ ଏ ନିର୍ବାଚନ ଥିଲା ପୃଥକ୍‌। ଏହା ଏକ ନିର୍ବାଚନ ନ ଥିଲା, ଥିଲା ଏକ ପ୍ରସଙ୍ଗବିହୀନ ବର୍ତ୍ତମାନକୈନ୍ଦ୍ରିକ ରାଜନୈତିକ କୋଳାହଳ। ଏଥିରେ ଭାରତର ରାଜନୈତିକ ବା ଅର୍ଥନୈତିକ ଭବିଷ୍ୟତ ନେଇ କୌଣସି ଯୋଜନା ବା ପ୍ରତିଶ୍ରୁତିବଦ୍ଧତାର କଥା ନ ଥିଲା। ପ୍ରତିଦିନ ଭାଷଣବାଜିରେ ପ୍ରସଙ୍ଗ ସୃଷ୍ଟି ହେଉଥିଲା, ତାକୁ ନେଇ ବାଦବିବାଦ ହେଉଥିଲା ଏବଂ ତାହା ଅପ୍ରସଙ୍ଗ ହେଲା ପରେ ପୁଣି ଏକ ବୟାନ ରାଜନୈତିକ ଉତ୍ତାପ ସୃଷ୍ଟି ପାଇଁ ହାଜର ହୋଇଯାଉଥିଲା। ନିଯୁକ୍ତି ହେଉ ବା ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଅର୍ଥନୀତି, ବୈଦେଶିକ ନୀତି, ପ୍ରାକୃତିକ ସମ୍ବଳକୁ ନେଇ ଦୀର୍ଘମିଆଦୀ ନୀତି ଅବା ନିର୍ବାଚନ ସଂସ୍କାର ହେଉ, ଏ ସବୁ ବିଷୟକୁ ନେଇ କେହି ପାଟି ଫିଟାଉ ନ ଥିଲେ। ଶେଷରେ ଏକ ଚରମ ନୈତିକ ସ୍ଖଳନର ସର୍ବକାଳୀନ ଉଦାହରଣ ରୂପେ ଉଭା ହେଲା ଏକ ବିତର୍କ- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ଦେଶଭକ୍ତ କି ନୁହେଁ।
ବିଗତ ନିର୍ବାଚନ ଏକ ଯାନ୍ତ୍ରିକ, ମିଆଦପୂର୍ତ୍ତିଜନିତ ଏକ ପାଞ୍ଚବର୍ଷିଆ ରୁଟିନ କାର୍ଯ୍ୟକ୍ରମ ଥିଲା ନା ଏହି ପରୀକ୍ଷା ମାଧ୍ୟମରେ ଜନସାଧାରଣ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେମାନଙ୍କ ମତଦାନ କରୁଥିଲେ ନା ସୀମିତ ଅର୍ଥରେ ପଛେ ହେଉ, ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ତଥା ଏହା ମାଧ୍ୟମରେ ନିଜ ନିଜ ଆକାଂକ୍ଷା ପୂରଣ ଦିଗରେ କିଛି ସଂକେତ ପ୍ରଦାନ କରିବାକୁ ସୁଯୋଗ ପାଇଥିଲେ? କୁହାଯାଏ ଏକ ନିୟମିତ ବ୍ୟବଧାନରେ ନିର୍ବାଚନ ଦେଶର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଦୃଢ଼ୀଭୂତ କରେ। ଜନମତକୁ ନଜରଅନ୍ଦାଜ କରୁଥିବା ଜନତାଙ୍କ ପିଠିରେ ପାଦ ରଖି ଆତ୍ମସେବାର ଶିଡ଼ି ଚଢ଼ିବାକୁ ପ୍ରୟାସ କରୁଥିବା ସ୍ବାର୍ଥପର ରାଜନେତାଙ୍କ ପାଇଁ ନିର୍ବାଚନ ଏକ ଚାବୁକ ପ୍ରହାର ପରି କାମ କରେ। ହେଲେ ଆମ ଦେଶର ଅନୁଷ୍ଠିତ ନିର୍ବାଚନମାନ ଏ ପ୍ରକାର ଭୂମିକା ନିର୍ବାହ କରେ କି? ନିର୍ବାଚନ ହିଁ ଗଣତନ୍ତ୍ରର ସବୁଠୁ ବଡ଼ ପରୀକ୍ଷା ଆଉ ନିର୍ବାଚନ କମିଶନ ହିଁ ପରୋକ୍ଷରେ ଗଣତନ୍ତ୍ରର ସବୁଠୁ ବଡ଼ ରକ୍ଷକ। ନିର୍ବାଚନ ବେଳେ ଜଣାପଡୁ ନ ଥିଲା ଦେଶରେ ଗଣତନ୍ତ୍ର ବିରାଜମାନ ବୋଲି ବରଂ ଲାଗୁଥିଲା ସର୍ବତ୍ର ଅର୍ଥତନ୍ତ୍ର, ସ୍ବୈରତନ୍ତ୍ର, ମାଂସପେଶୀତନ୍ତ୍ରର ଖୁଲମ୍‌ଖୁଲା ଆଧିପତ୍ୟ। ନିର୍ବାଚନ ବେଳେ ଜବତ ବିପୁଳ କଳାଧନ ହିଁ ପ୍ରମାଣ କରେ କେଡ଼େ ଅଗଣତାନ୍ତ୍ରିକ ଥିଲା ଏ ନିର୍ବାଚନ। ଏ ସବୁର ନୀରବଦ୍ରଷ୍ଟା ସାଜିଥିଲେ ନିର୍ବାଚନ କମିଶନ।
ଗଣତନ୍ତ୍ର କେବେ ଘୋଷଣା କରିଥିଲା ବୈଷମ୍ୟ ଉପରେ ରାଜନୈତିକ ଅଧିକାର ପ୍ରତିଷ୍ଠିତ? କେବେ କହିଥିଲା ରାଜନୈତିକ ଅଧିକାର ମାନେ ଖାଲି ଭୋଟ ଦେବା? କେତେଜଣ ସଚ୍ଚୋଟ, ପ୍ରତିଭାଧର, ନିର୍ଦ୍ଦିଷ୍ଟ ତଥା ସ୍ପଷ୍ଟ ଚିନ୍ତନଯୁକ୍ତ ନାଗରିକ ଆଜି ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟ ହାସଲ କରିପାରିବେ? ଅର୍ଥାତ୍‌ କିଛି ଲୋକ ସବୁଦିନ ଭୋଟ ଦେଉଥିବେ, ଆଉ କିଛି ଲୋକ ସବୁଦିନ ପ୍ରାର୍ଥୀ ହେଉଥିବେ, ବିଜୟଲାଭ ବି କରୁଥିବେ। ନିର୍ବାଚନ ଏକ ଧର୍ମଯୁଦ୍ଧ। ଏ ନୈତିକ ଯୁଦ୍ଧରେ ତତ୍ତ୍ୱାବଧାରକ ହେଲେ ନିର୍ବାଚନ କମିଶନ, ଯାହାଙ୍କ ଦେଖିବା ଦାୟିତ୍ୱ ହେଲା ଦୁଇଯୋଦ୍ଧା ବା ଯୋଦ୍ଧାମାନେ ଗୋଟିଏ ସମତଳରେ ରହିବେ, ଜଣେ ଅନ୍ୟ ଜଣଙ୍କଠୁ ଅଯଥା ସୁବିଧାଜନକ ସ୍ଥିତିରେ ଯେମିତି ନ ରହିବେ। ଦୁଃଖର କଥା ନିର୍ବାଚନ କମିଶନ ଏ ଦିଗଟିକୁ କେବେ ଦେଖନ୍ତି ନାହିଁ ଅବା ସରକାର ନିର୍ବାଚନ ସଂସ୍କାର ମାଧ୍ୟମରେ ଏ କଥାଟିକୁ ସୁନିଶ୍ଚିତ କରିବାକୁ କେବେ ପଦକ୍ଷେପ ନିଅନ୍ତି ନାହିଁ। କୌଣସି ରାଜନୈତିକ ଦଳ ମଧ୍ୟ ଏ କ୍ଷେତ୍ରରେ ଆଗ୍ରହ ଦେଖାନ୍ତି ନାହିଁ। କାରଣ ରାଜନୈତିକ ଦଳଗୁଡ଼ିକ ହିଁ ସୁବିଧାଜନକ ସ୍ଥିତିରେ ଥାଆନ୍ତି। ଉଦାହରଣ ସ୍ବରୂପ ଜଣେ ଲୋକ ସଭା ପ୍ରାର୍ଥୀ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିିର୍ବାଚନରେ ଖର୍ଚ୍ଚ କରପାରିବେ। ଦଳୀୟ ପ୍ରାର୍ଥୀ ହୋଇଥିଲେ ଏ ପରିମାଣର ଅର୍ଥରାଶି ସମସ୍ୟା ନୁହେଁ, କିିନ୍ତୁ ଚଳିତ ନିର୍ବାଚନରେ ରାୟଗଡ଼ା ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ମକରନ୍ଦ ମୁଦୁଲିଙ୍କ ଭଳି ସ୍ବାଧୀନ ପ୍ରାର୍ଥୀ, ଯାହାଙ୍କ ସମଗ୍ର ଜମା ୧୫ହଜାର ଟଙ୍କା, ଏତେକ ଅର୍ଥ କେଉଁଠୁ ପାଇବେ? ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଅଛନ୍ତି, ମୁଖ୍ୟମନ୍ତ୍ରୀ ଅଛନ୍ତି, ‘ନକ୍ଷତ୍ର ପ୍ରଚାରକ’ମାନେ ଅଛନ୍ତି। ପ୍ରଧାନମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀ ପ୍ରଚାର କରିବାକୁ ଆସିଲେ କିଛି ଜନବଳ, କିଛି ଖର୍ଚ୍ଚ ପ୍ରୋଟୋକଲ ନାମରେ ଅମଳ ହୋଇଯାଏ। ସ୍ବପ୍ନାବିଷ୍ଟ, ପରିବର୍ତ୍ତନକାମୀ ଯୋଗ୍ୟ ମକରନ୍ଦମାନେ ରାଜନୈତିକ ଦଳ ତୁଳନାରେ ସବୁଦିନ କାହିଁକି ଅନାଥ ହୋଇ ରହିବେ? ପୂର୍ବ ନିର୍ବାଚନରେ ପ୍ରତିଯୋଗିତାର ଫଳ ହେଉ ବା କୌଣସି ମାପଦଣ୍ଡରେ ଗମ୍ଭୀରତାର ସହ ନିର୍ବାଚନ ଲଢୁଥିବା ନିର୍ଦ୍ଦଳୀୟ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ କାହିଁକି ସରକାର ବହନ ନ କରିବେ? କାହିଁକି ସେମାନଙ୍କ ଷ୍ଟାର ପ୍ରଚାରକଙ୍କ କଥା ରାଷ୍ଟ୍ର ନ ବୁଝିବ? ଖାଲି ସେତିକି ନୁହେଁ ରାଜନୈତିକ ଦଳଗୁଡ଼ିକ ଯେହେତୁ ସରକାର ବା ଛାୟା ସରକାରରେ ଥାଆନ୍ତି, ସେମାନଙ୍କୁ କମ୍ପାନୀ ବା ଧନିକ ବ୍ୟକ୍ତିବିଶେଷ ବର୍ତ୍ତମାନ ବା ଭବିଷ୍ୟତ ଫାଇଦା ପାଇଁ ଚାନ୍ଦା ଦେବେ। ନିର୍ଦ୍ଦଳୀୟ ପ୍ରାର୍ଥୀ ବର୍ଷଯାକର ଯଥାର୍ଥ, ଉଚିତ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଅର୍ଥ ପାଇବେ କେଉଁଠୁ? ଅର୍ଥାତ୍‌ ସରଳ ଭାବରେ କହିଲେ ଦଳରୁ ଲଢ଼ ନ ହେଲେ ବୁଡ଼ି ମର।
ବିଗତ ନିର୍ବାଚନ ଥିଲା ଏକ ଗଣପ୍ରତାରଣାର ଖେଳ। ଆଜିର ଶିକ୍ଷିତ ନାଗରିକମାନେ ସବୁ ଦେଖୁଥିଲେ ଏବଂ ପ୍ରତାରିତ ହେବାରେ ଆମୋଦ ଲାଭ କରୁଥିଲେ। ପ୍ରକାଣ୍ଡ ପ୍ରକାଣ୍ଡ ଏକାଧିକ ନିର୍ବାଚନୀ ମଞ୍ଚ, ପ୍ରଚାର ପାଇଁ ରୋଡ୍‌ ଶୋ, ମନୋନୟନ ଦାଖଲ ପାଇଁ ରୋଡ୍‌ ଶୋ, ଭୋଟଦାନ ପାଇଁ ଯିବାକୁ ରୋଡ୍‌ ଶୋ, ଫେରିବାକୁ ରୋଡ୍‌ ଶୋ, ଗୋଟିଏ ଗୋଟିଏ ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀମାନଙ୍କର ଏକାଧିକବାର ନିର୍ବାଚନ ପ୍ରଚାର ମାଧ୍ୟମରେ ପ୍ରତିପକ୍ଷକୁ ଗୋଟିଏ ଅବତଳରୁ ଘୋଷାରି ପକାଇବାର ଅପଚେଷ୍ଟା ଏସବୁ ଅନ୍ତରାଳରେ ଥିବା ଅନୈତିକତାକୁ ତଥାକଥିତ ବୁଦ୍ଧିଜୀବୀମାନେ ପ୍ରକାରାନ୍ତରେ ଉପଭୋଗ କରୁଥିଲେ ଏବଂ ନିଜ ପସନ୍ଦର ପ୍ରାର୍ଥୀ ସପକ୍ଷରେ କେତେ ଭିଡ଼ ଜମୁଛି ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ବାଣ୍ଟୁଥିଲେ। କିନ୍ତୁ ଏ ଆମୋଦ ପଛରେ ଯେ ଆତ୍ମପ୍ରତାରଣା ବେଶି ଆମୋଦ କମ୍‌ ତା’ର ଆତ୍ମ-ସମୀକ୍ଷା କେହି କରୁ ନ ଥିଲେ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର, ମୋ- ୯୪୩୭୩୭୬୨୧୯, subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri