ଗଡିଲା ସଚେତନତା ରଥ: ପିଏମ୍‌ଏଫବିୱାଇ ସମ୍ପର୍କରେ ଚାଷୀ ହେବେ ସଚେତନ

ସୋନପୁର,୩।୭(ନି.ପ୍ର.): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫବିୱାଇ)ରେ ଚଳିତ ଖରିଫ ଋତୁ ସକାଶେ ଚାଷୀ ବୀମାଭୁକ୍ତ ହେବା ପାଇଁ ଅନ୍ତିମ ତାରିଖ ଜୁଲାଇ ମାସ ୧୧ ତାରିଖ। ଋଣୀ କିମ୍ବା ଅଣଋଣୀ କୃଷକ ଏହି ସମୟ ମଧ୍ୟରେ ପ୍ରସ୍ତାବ ପତ୍ର ଏବଂ ବୀମା ପ୍ରିମିୟମ ରାଶି ବ୍ୟାଙ୍କ ମାଧ୍ୟମରେ ଦାଖଲ କରି ବୀମାଭୁକ୍ତ ହୋଇପାରିବେ। ତେଣୁ ଚାଷୀଙ୍କୁ ଯୋଜନା ସମ୍ପର୍କରେ ସଚେତନ କରିବା ପାଇଁ ଏକ ସଚେତନତା ରଥ ବୁଧବାରଠାରୁ ସୁବର୍ଣ୍ଣପୁର ଜିଲା ପରିକ୍ରମା କରଛି। ଏହି ରଥକୁ ଜିଲାପାଳ ମଧୁସୂଦନ ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ୬ଟି ବ୍ଲକ ପରିକ୍ରମା କରି ଚାଷୀଙ୍କୁ ସଚେତନ କରିବ। ଜିଲାପାଳ କହିଥିଲେ ଯେ, ଏହି ଯୋଜନା ମାଧ୍ୟମରେ ପ୍ରାକୃତିକ ଦୈବୀ ଦୁର୍ବିପାକ ଦ୍ୱାରା ଫସଲ ନଷ୍ଟ ହେଲେ ବୀମା ସହିତ ଫସଲକୁ ପରିମାପ ପ୍ରଦାନ ସହିତ କୃଷକଙ୍କୁ ଅର୍ଥିକ ସହାୟତା ପ୍ରଦାନ କରିବ। ତେଣୁ ଚାଷୀ ବୀମାଭୁକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ଜିଲା ଉପକୃଷି ନିର୍ଦ୍ଦେଶକ ସନ୍ତୋଷ ଜେନା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। କୃଷି ଅଧିକାରୀ ସୁନୀଲ କୁମାର ଠାକୁର, ପ୍ରକାଶ ଚନ୍ଦ୍ର ପାଣି, ବସନ୍ତ କୁମାର ପାଣିଗ୍ରାହୀ, ବୀମା କମ୍ପାନୀ ଏଚ୍‌ଡିଏଫ୍‌ସି ଏର୍ଗୋର ଏକ୍‌ଜିକ୍ୟୁଟିଭ କ୍ଲେମ ଅଜିତ ପ୍ରତାପ ସିଂ, ଜିଲା ସଂଯୋଜକ ସୌରଭ ଶର୍ମା ଓ ଜ୍ୟୋତି ରଞ୍ଜନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।