ଗଡିବନି ବିଶ୍ୱର ସର୍ବୋଚ୍ଚ ରଥ

କେନ୍ଦୁଝର,୧୮ା୬(ସ୍ବ.ପ୍ର.)-କରୋନା କଟକଣା ପାଇଁ ଚଳିତ ବର୍ଷ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ରଥ ଗଡିବନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୁରୀ ରଥଯାତ୍ରା ଉପରେ ନିଷ୍ପତି ପରେ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି। ସେହିପରି ମନ୍ଦିରର ସେବାୟତ,ରାଜପୁରୋହିତ ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରସ୍ତାବକ୍ରମେ ସାମ୍ଭାବ୍ୟ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ରଥଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ୭୨ଫୁଟ୍‌ ଉଚ୍ଚ ଶ୍ରୀ ଜୀଉଙ୍କ ନନ୍ଦୀଘୋଷ ରଥ ବିଶ୍ୱର ସର୍ବୋଚ୍ଚ ରଥର ମାନ୍ୟତା ବିଭିନ୍ନ ଜାତୀୟସ୍ତରୀୟ ସଂଗଠନମାନେ ଘୋଷଣା କରିବା ପରେ ଏହି ରଥଯାତ୍ରାର ଗୁରୁତ୍ୱ ବହୁ ଗୁଣା ବଢିଯାଇଛି। ଦୀର୍ଘଦିନ ଧରି ରଥଯାତ୍ରା ହେବା ନେଇ ଆଶା ଆଶଙ୍କାରେ ସମସ୍ତେ ରହିଥିଲେ। ଏଣୁ ରଥନିର୍ମାଣ କାର୍ଯ୍ୟ ପୂର୍ବ ବର୍ଷ ଭଳି ସାମାଜିକ ଦୂରତ୍ୱ ରକ୍ଷା କରାଯାଇ କରାଯାଇଥିଲା।
ଅପରପକ୍ଷେ ରଥଯାତ୍ରା ସମୟରେ ଶ୍ରୀଜୀଉଙ୍କ ଯଥାରୀତି ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କିପରି ପାଳନ କରାଯିବ ସେ ନେଇ ସେବାୟତ, ବ୍ରାହ୍ମଣ ତଥା ବରିଷ୍ଠ ବ୍ୟକ୍ତିଙ୍କ ସହିତ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, କେନ୍ଦୁଝରର ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ରାଜା ରାଜୁଡା ଅମଳରୁ ହୋଇଆସୁଛି। ଏହି ରଥଯାତ୍ରାରେ ବିଶେଷ କରି ଆଦିବାସୀ ପରମ୍ପରା ଅଧିକ ପରିଲକ୍ଷିତ ହୋଇଥାଏ। ଏପରିକି ଭୂୟାଁ ଜନଜାତିର ଲୋକ ମାନେ ରଥ ଟାଣିବା ପାଇଁ ଆବଶ୍ୟକ ସିଆଡି ଲତାରେ ଦଉଡି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ସେହିପରି ଅକ୍ଷୟ ତୃତୀୟା ଦିନଠାରୁ ପ୍ରଶାସନ ମଧ୍ୟ ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରି ପ୍ରାୟତଃ ଶେଷ କରିଦେଇଥିଲେ। ରଥଯାତ୍ରା ପୂର୍ବରୁ ହେବାକୁ ଥିବା ପାରମ୍ପରିକ ପୂଜାପାଠ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।