ଗଞ୍ଜେଇ ବୋଝେଇ ଅଟୋ ଜବତ; ଅଣ ଓଡ଼ିଆ ଯୁବକ, ଯୁବତୀଙ୍କ ସହ ଚାଳକ ଗିରଫ

ଦିଗପହଣ୍ଡି,୧୭ା୧୦(ଡି.ଏନ.ଏ.) -ଦିଗପହଣ୍ଡି ଅବକାରୀ ବିଭାଗ ଏକ ଗଞ୍ଜେଇ ବୋଝେଇ ଅଟୋ (ନଂ.ଓଡି୦୭ଏକ୍ସ-୧୯୮୨)କୁ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଯୁବକ ମଣ୍ଟୁ ବିଶ୍ୱାସ ଓ ଯୁବତୀ ମରୁଫା ବଓ୍ବୋଙ୍କ ସମେତ ପାଟପୁର ଥାନା କନ୍ଧନୂଆଗଡ ଗ୍ରାମର ଅଟୋ ଚାଳକ ଯୁସେୟା ଗମାଙ୍ଗଙ୍କୁ ଗିରଫ କରାଯାଇଛି। ନଂ.୩୮/୧୯-୨୦ରେ ମାମଲା ରୁଜୁକରି ୩ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ବ୍ୟାଗରେ ଥିବା ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ୩୦ କେଜି ଗଞ୍ଜେଇ ଜବତ ହୋଇଛି। ଅପରପକ୍ଷରେ ପ୍ରାୟ ୮୦ କେଜି ଗଞ୍ଜେଇ ଜବତ କରାଯାଇଥିବା ସହ ଅନ୍ୟ ୨ଜଣ ପେଶାଦାର ଗଞ୍ଜେଇ ବ୍ୟବସାୟୀଙ୍କୁ ଅବକାରୀ କର୍ମଚାରୀ ଛାଡ଼ି ଦେଇଥିବା ସାମାଜିକ କର୍ମୀ ଭଗବାନ ପଟ୍ଟନାୟକ, ଶିବରାମ ଗୌଡ, ପ୍ରସନ୍ନ ପ୍ରଧାନ, ହିମାଂଶୁ ପଣ୍ଡା, ସନ୍ତୋଷ ଶତପଥୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ପୋଡ଼ାମାରି ଗ୍ରାମ ନିକଟରେ ସକାଳ ପ୍ରାୟ ୮ ଟାରେ ଗଞ୍ଜେଇ ଜବତ କରାଯାଇଥିଲା। ମାତ୍ର ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟ ମୁଖ୍ୟ ରାସ୍ତାରେ ପୂର୍ବାହ୍ନ ୧୧ଟାରେ ଜବତ କରାଯାଇଥିବା ଦର୍ଶାଯାଇଛି। ଉଚ୍ଚପଦସ୍ଥ ଅବକାରୀ ଅଫିସରଙ୍କୁ ଗଞ୍ଜେଇ ଜବତ ସମୟରେ ଡକାଗଲା ନାହିଁ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ଅବକାରୀ ଏସ୍‌ଆଇ ଅଭିରାମ ସାହୁଙ୍କୁ ପଚାରିବାରୁ ଅଭିଯୋଗ ଅସତ୍ୟ ଓ ଅମୂଳକ। ଖେମୁଣ୍ଡି କଲେଜ ନିକଟ ମୁଖ୍ୟ ରାସ୍ତାରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଅଟୋକୁ ସାକ୍ଷୀମାନଙ୍କ ସମ୍ମୁଖରେ ଅଟକାଯାଇ ଖାନତଲାସବେଳେ ଗଞ୍ଜେଇ ମିଳିଥିବା ସେ କହିଛନ୍ତି।