Categories: ଗଞ୍ଜାମ

ଗଞ୍ଜେଇ ଗଛ ନଷ୍ଟବେଳେ ଉତ୍ତେଜନା

ଧରାକୋଟ,୨୩ା୧୧(ଡି.ଏନ୍‌.ଏ.)-ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଧିନସ୍ଥ ବାହାରପୁର ପଞ୍ଚାୟତର ଖଜୁରିପଦା ଗ୍ରାମ ନିକଟସ୍ଥ ପାହାଡ଼ ପାଦଦେଶରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଛି। ଶୁକ୍ରବାର ସକାଳୁ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଜିଲାର ବିଭିନ୍ନ ଥାନାରୁ ଆସିଥିବା ଥାନାଧିକାରୀ, ଅବକାରୀ ବିଭାଗ, ବନ ବିଭାଗ, ବିଦ୍ୟୁତ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୨ ଏକର ଜମିରୁ ୮୬୧୬ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮୬ ଲକ୍ଷ ୧୮ ହଜାର ଟଙ୍କା ହେବ ବୋଲି ଏସ୍‌ଡିପିଓ ପ୍ରଧାନ କହିଛନ୍ତି। ଧରାକୋଟ ଭାରପ୍ରାପ୍ତ ତହସିଲଦାର ସୁରେଶ ଚନ୍ଦ୍ର ଜାନି ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ଗଛ ନଷ୍ଟ କରାଯାଇଥିଲା। ମାତ୍ର ଅଞ୍ଚଳର ବିଭିନ୍ନ ଆଦିବାସୀ ଗ୍ରାମର ମହିଳା ଓ ପୁରୁଷ ମେଳିବାନ୍ଧି ଗଞ୍ଜେଇ ଗଛ କଟାକୁ ବନ୍ଦ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ଆଦିବାସୀଙ୍କ ସହ ଆଲୋଚନା ପାଇଁ ବାଧ୍ୟ ହୋଇଥିଲେ। ସେମାନଙ୍କର ପ୍ରମୁଖ ଦାବି ରହିଥିଲା, ଆଦିବାସୀମାନଙ୍କୁ ଚିହ୍ନଟ କରି ରାଶନ କାର୍ଡ, ବିଜୁ ପକ୍କାଘର, ସ୍ଥାୟୀ ଜମିପଟ୍ଟା, ଅଧିକୃତ ଜଙ୍ଗଲ ଜମି ପଟ୍ଟା, ଆଦିବାସୀ ଅଞ୍ଚଳରେ ସ୍କୁଲ ଗୃହ ନିର୍ମାଣ, ଉପାନ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ, ଚୋରାମଦ କାରବାର ବନ୍ଦ କରିବାକୁ। ଦାବି ସମ୍ପର୍କରେ ମାଜିଷ୍ଟ୍ରେଟ ଜିଲାପାଳଙ୍କ ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗଞ୍ଜେଇ ଚାଷ ଆମ୍ଭମାନଙ୍କର ବଞ୍ଚତ୍ବାର ଏକମାତ୍ର ପନ୍ଥା। ଦାବି ପୂରଣ ନହେବା ଯାଏ ଆମେ ଏହାକୁ ନଷ୍ଟ କରିବାକୁ ଦେବୁନାହିଁ ବୋଲି ଅଡି ବସିଥିଲେ। ସରକାର ଆମ ଜୀବିକା କଥା ଚିନ୍ତା କରିବା ନିହାତି ଆବଶ୍ୟକ ବୋଲି ସେମାନେ କହିଥିଲେ। ଏହାପରେ ପ୍ରାୟ ୪୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛରୁ ମାତ୍ର ୨ ଏକର ନଷ୍ଟ କରି ପ୍ରଶାସନ ଫେରି ଆସିଥିଲା। ପରବର୍ତ୍ତୀ ସମୟରେ ବଳକା ଗଞ୍ଜେଇ ଗଛ ନଷ୍ଟ କରାଯିବ ବୋଲି ଆସିକା ଏସ୍‌ଡିପିଓ ପ୍ରଧାନ କହିଥିଲେ। ଏଥିରେ ଯିଏ ବ୍ୟାଘାତ ସୃଷ୍ଟି କରିବ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଅଭିଯାନରେ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ, ଅବକାରୀ ବିଭାଗ କର୍ମଚାରୀ, ଅବକାରୀ ଉପଖଣ୍ଡ ଅଧିକାରୀ ଅଭିରାମ ବେହେରା, ଡିଏସ୍‌ପି ସଞ୍ଜୟ ମହାପାତ୍ର, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ସୋରଡ଼ା ଥାନାଧିକାରୀ ରମେଶ ପ୍ରଧାନ, ବଡ଼ଗଡ଼ ଥାନାଧିକାରୀ ପ୍ରତାପ ତ୍ରିପାଠୀ, ରେଞ୍ଜର ନରସିଂହ ବେହେରା, ରେଞ୍ଜର ପ୍ରସନ୍ନ ସାହୁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଅପରପକ୍ଷେ ପ୍ରାୟ ୧୫ ଖଣ୍ଡ ଆଦିବାସୀ ଗ୍ରାମର ମହିଳା ଓ ପୁରୁଷ ସାବା ନିକଟରେ ଏକତ୍ରିତ ହୋଇ ଜୀବନଜିବିକା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବୁ। ପ୍ରଶାସନ ଦାବି ପୂରଣ ନ କଲେ ମରିବୁ ପଛେ ଏହି ଚାଷରୁ ନିବୃତ ହେବୁ ନାହିଁ ବୋଲି କହିଥିଲେ। ଯାହାକି ପ୍ରଶାସନ ପାଇଁ ଏବେ ଖୋଲା ଚାଲେଞ୍ଜ ସୃଷ୍ଟି କରିଛି।