ଲାଞ୍ଚ ନେଇ ଧରାପଡ଼ିଲେ ଅସୁରବନ୍ଧ ଆର୍‌ଆଇ

ସୋରଡ଼ା,୬ା୯(ଡି.ଏନ.ଏ.)-ସୋରଡ଼ା ତହସିଲ ଅସୁରବନ୍ଧ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ବସନ୍ତ କୁମାର ମଲିକ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡରେ ପଡିଛନ୍ତି। ଗୁରୁବାର ଅପରାହ୍ନରେ ତାଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ମହିଳାଙ୍କ ଠାରୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା। ବ୍ରହ୍ମପୁର ଭିଜିଲାନ୍ସ ଏଏସ୍‌ପି ଶାନ୍ତନୁ କୁମାର ପାଢ଼ୀଙ୍କ ସୂଚନାନୁଯାୟୀ, ତିତ୍‌ଲି ବାତ୍ୟାରେ ପାକଲବାଡ଼ି ଆମ୍ବକୋଣ ଗ୍ରାମର ନକୁଳ ମଲିକ ଭୂତପଙ୍କଳ ନିକଟରେ ବନ୍ୟାଜଳରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ସ୍ତ୍ରୀ ଦୁଃଖୀ ମଲିକଙ୍କୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ମିଳିଥିଲା। ଏନେଇ ୪୦ହଜାର ଟଙ୍କା ଦେବାକୁ ଆର୍‌ଆଇ ମଲିକ ଦାବି କରିଥିଲେ। କିନ୍ତୁ ଦୁଃଖୀ ଦେଇ ନ ଥିଲେ।
କିଛିଦିନ ପରେ ସେ ଭୂମିହୀନ ପଟ୍ଟା ପାଇଁ ତହସିଲଦାରଙ୍କୁ ଆବେଦନ କରିଥିଲେ। ତହସିଲଦାର ଆର୍‌ଆଇ ମଲିକଙ୍କୁ ଦୁଃଖୀଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆର୍‌ଆଇ ମଲିକ ଏଥିପାଇଁ ୪୦ ହଜାର ଟଙ୍କା ଦୁଃଖୀଙ୍କୁ ମାଗିଥିଲେ। ତେବେ ଦୁଃଖୀ ବୁଧବାର ବ୍ରହ୍ମପୁର ଭିଜିଲାନ୍ସରେ ଜଣାଇଥିଲେ। ଗୁରୁବାର ଏଏସ୍‌ପି ପାଢୀଙ୍କ ନେତୃତ୍ୱରେ ଇନ୍ସପେକ୍ଟର କ୍ରିଷ୍ଣା କୁମାରୀ ପ୍ରଧାନ, ରାଜେନ୍ଦ୍ର କୁମାର ନାୟକ, ନିର୍ମଳ ନାୟକଙ୍କ ସମେତ ଏକ ଟିମ ଅସୁରବନ୍ଧ ଆର୍‌ଆଇ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। ଦୁଃଖୀ ରାଜସ୍ବ ନିରୀକ୍ଷକ ମଲିକଙ୍କୁ ଟଙ୍କା ଦେବାବେଳେ ଭିଜିଲାନ୍ସ ଟିମ୍‌ ଚଢାଉ କରି କେମିକାଲ ବୋଳା ଟଙ୍କା ତାଙ୍କଠାରୁ ଜବତ କରିଥିଲେ। ତାଙ୍କ ହାତ ଧୂଆ ଯିବାପରେ ରଙ୍ଗ ବାହାରିଥିଲା। ପରେ ତାଙ୍କ ଭଞ୍ଜନଗରସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା। ରାଜସ୍ବ ନିରୀକ୍ଷଙ୍କୁ ଅସୁରବନ୍ଧରୁ ସୋରଡ଼ା ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା। ତହସିଲଦାରଙ୍କ ସହ ଆଲୋଚନା ପରେ ତାଙ୍କୁ ବ୍ରହ୍ମପୁର ନିଆଯାଇଛି। ରାଜସ୍ବ ନିରୀକ୍ଷକଙ୍କ ଏକ କାରକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି।