Categories: ଗଞ୍ଜାମ

ଗଞ୍ଜାମ ଏସ୍‌ପିଙ୍କ ଖବରଦାତା ସମ୍ମିଳନୀ, ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାର ଚାଲିଛି ତଦନ୍ତ

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ପୋଲିସ ଜିଲା ଅଞ୍ଚଳରେ ସାଧାରଣ ନିର୍ବାଚନ ବେଳେ ଘଟିଥିବା ଅପରାଧ ନେଇ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନ ସମ୍ପର୍କରେ ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। ସୋରଡା ଥାନା ଲାଠିପଡା ପଞ୍ଚାୟତ କଦଳିଝୋଳା ଗାଁର ଭାଜପା ସମର୍ଥକ ସନ୍ତୋଷ କୁମାର ପତିଙ୍କୁ ବୁଧବାର ରାତିରେ ଠେଙ୍ଗାରେ  ପିଟି ହତ୍ୟା କରାଯାଇଥିଲା ା ଏହି ଘଟଣାରେ ୩ ଅଭିଯୁକ୍ତ କୁମର ନାୟକ, ଜିତୁ ନାୟକ ଓ ଗୋଲା ନାୟକଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ଟୁବୁଲୁ ନାୟକ ଫେରାର ଅଛନ୍ତି। ଏମାନଙ୍କ ବ୍ୟତୀତ ଏତଲାରେ ଦର୍ଶାଯାଇଥିବା ଅନ୍ୟମାନେ ହତ୍ୟା ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ସୂଚନା  ଦେଇଛନ୍ତି। ବୁଧବାର ରାତିରେ ରାଜଜୈତିକ ଦଳର ପୋଷ୍ଟର ଚିରାକୁ ନେଇ ସନ୍ତୋଷଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିଲା। ତାଙ୍କ ବାପା ଗଣେଶଙ୍କ ଏତଲାକୁ ଭିତ୍ତିକରି ସୋରାଡା ଥାନାରେ ନଂ.୫୬/୧୯ରେ ମାମଲା ରୁଜୁ ହୋଇଥିଲା।

ପୀତାମ୍ବରଙ୍କ ନାଁରେ ୫ ମାମଲା: ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ବିଭିନ୍ନ ଥାନାରେ ୫ଟି ମାମଲା ରୁଜୁ ହୋଇଥିବା ଏସପି ସୂଚନା ଦେଇଛନ୍ତି। ସେଥିମଧ୍ୟରେ ଶେରଗଡ ଥାନାରେ ୨ଟି, ଧରାକୋଟ, ଆସିକା ଓ ହିଞ୍ଜିଳି ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି ା

ବୋମା ବିସ୍ଫୋରଣରେ ମୃତ୍ୟୁ: ରୁଜୁ ହୋଇଛି ହତ୍ୟା ମାମଲା-ଭଞ୍ଜନଗର ଥାନା ଅଗଝୋଳର ସଦାଶିବ ପ୍ରଧାନଙ୍କର ବୁଧବାର ରାତିରେ ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା ା ଏ ନେଇ ଭଞ୍ଜନଗର ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୧୨୬/୧୯) ରୁଜୁ କରଛି। ତେବେ ସଦାଶିବଙ୍କ ପକେଟ୍‌ରେ ବୋମା ଥିଲା ଏବଂ ଏହା ବିସ୍ଫୋରଣ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତଥାପି ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

ଯଦି ଏଥିରେ କେହି ସମ୍ପୃକ୍ତ ଥିବେ ସେମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି।