ଗଞ୍ଜାମରେ ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟ ଯାଞ୍ଚ: ସାରୁ ଗ୍ରାମରୁ ଆରମ୍ଭ, ଉପସ୍ଥିତ ରହିଲେ ଜିଲାପାଳ

ହିଞ୍ଜିଳିକାଟୁ, ୯ା୪(ଡି.ଏନ୍‌.ଏ) : ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ମୁକାବିଲାକୁ ନେଇ ଲୋକଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ ପ୍ରଣାଳୀକୁ ଘରକୁ ଘର ବୁଲି ସର୍ଭେ ପାଇଁ ରାଜ୍ୟରେ ପ୍ରଥମ ଜିଲା ଭାବେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୁରୁବାର ସକାଳ ୭ରେ ଏହି କାର୍ଯ୍ୟକ୍ରମକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ହଞ୍ଜିିଳିକାଟୁ ବ୍ଳକ ସାରୁ ଗ୍ରାମରୁ ଆରମ୍ଭ କରିଛନ୍ତି। ସକାଳେ ଜିଲାପାଳ କୁଲାଙ୍ଗେ, ସାରୁ ଗ୍ରାମର ରବୀନ୍ଦ୍ର ନାୟକ ଓ ଯୋଗେନ୍ଦ୍ର ନାୟକଙ୍କ ଘରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପରିବାର ସଦସ୍ୟଙ୍କ ଜ୍ୱର,ଥଣ୍ଡା, କଫ ଏବଂ ଶ୍ୱାସଗତ ସମସ୍ୟା, ନିକଟ ଅତୀତରେ ଟ୍ରାଭେଲ ତଥ୍ୟ, ଘରର କେହି ରାଜ୍ୟ ଓ ଦେଶ ବାହାରେ ରହୁଛନ୍ତି କି, କରୋନା ସମ୍ପର୍କିତ ଗ୍ରହଣ କରିଥିବା ସୁରକ୍ଷା ନିୟମ ପାଳନ ଇତ୍ୟାଦି ସମ୍ପର୍କରେ ସେ ପଚାରି ବୁଝିଥିଲେ। ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ , ସ୍ବାସ୍ଥ୍ୟ ସୁପରଭାଇଜର୍‌ , ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ଗଠିତ ୱାର୍ଡ ସ୍କ୍ରିନିଂ ଟିମ୍‌ ଏହି ଅବସରରେ ଉପସ୍ଥିତ ଥିଲେ। ଜିଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପ୍ରତି ୱାର୍ଡ଼ରେ ଗଠିତ ଏହି ଟିମ୍‌ ସଠିକ ଭାବେ ପ୍ରତ୍ୟେକ ଘର ବୁଲି ସର୍ଭେ କରିବେ ବୋଲି ଜିଲାପାଳ କୁଲାଙ୍ଗେ ପ୍ରକାଶ କରିଥିଲେ।

ପ୍ରତିଘର ପାଇଁ ଏକ ଫର୍ମରେ ପରିବାରର ତଥ୍ୟ ରହିବ । ୩ଦିନ ମଧ୍ୟରେ ଏହି ସର୍ଭେ କାମ ସରିବ। କରୋନା ଭୂତାଣୁ ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବ। ଫଳରେ କରୋନା ଭୂତାଣୁ ବିସ୍ତାରକୁ ରୋକାଯାଇ ପାରିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରକାଶ କରିଥିଲେ। ପରେ ଜିଲାପାଳ ଗ୍ରାମରେ କରୋନା ପାଇଁ ନିର୍ମିତ ଆଇସୋଲେସନ୍‌ କେନ୍ଦ୍ର ବୁଲି ଦେଖିଥିଲେ। ଜିଲାପାଳଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗୋପୀନାଥ କୁଅଁର, ବିଡିଓ ପ୍ରସନ୍ନ କୁମାର ପାତ୍ର, ସିଡିପିଓ ଶୁଭଶ୍ରୀ ପାତ୍ର, ବିଇଓ ବସନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।