ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର

ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଅନ୍ୟ ୨ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡ଼ି ନୀଳଗିରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଆମ୍ବୁଡିହା ନିକଟରେ ଥିବା ଏକ ଗଛକୁ ପିଟି ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭର ଓ ଅନ୍ୟ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ସେମାନଙ୍କୁ ତୁରନ୍ତ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଡ୍ରାଇଭରଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବା ସୂଚନା ମିଳିଛି। ଗୁରୁତର ଡ୍ରାଇଭର ଜଣକ ମିତ୍ରପୁର ଅଞ୍ଚଳର ଖଖେନ୍ଦ୍ର ମହାଳିକ ହୋଇଥିବା ବେଳେ ଅନ୍ୟ ଜଣକ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଗାଁର ଯୋଗେଶ୍ୱର ମହନ୍ତ ବୋଲି ଜଣାପଡ଼ିଛି।