ଗଛମୂଳେ କ୍ୱାରାଣ୍ଟାଇନରେ ଶ୍ରମିକ

ନୂଆପଡା ଅଫିସ/ବୋଡେନ,୨୪|୪ – କରୋନା ଲକ୍‌ଡାଉନ ପରେ ଶ୍ରମିକମାନେ ଜିଲା ତଥା ରାଜ୍ୟ ବାହାରେ ହଇରାଣ ହେବା ପରେ ବିକଳ୍ପ ଚିନ୍ତା କରି ଘରକୁ ଫେରିଆସୁଛନ୍ତି। ହେଲେ ଏଠାରେ ପରିବାର କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ କ୍ୱାରାଣ୍ଟାଇନର ବ୍ୟବସ୍ଥା କରୁ ନ ଥିବାରୁ ଗଛମୂଳେ ସେମାନଙ୍କ ଦିନ ବିତୁଛି। ନୂଆପଡା ଜିଲା ବୋଡେନ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ବିନୋପୁର ଗାଁର ଦୁଇଜଣ ଶ୍ରମିକ ରମେଶ ମାଝୀ (୨୨) ଓ ଲଳିତ ମାଝୀ (୨୦ )ଅନୁଗୋଳରୁ ସାଇକେଲରେ ଆସିଥିବାବେଳେ ଗାଁର ଏକ ଗଛମୂଳରେ ରହିଛନ୍ତି। ରମେଶ ଏବଂ ଲଳିତଙ୍କ ସମେତ ଅନ୍ୟ ତିନିଜଣ ଏହି ବ୍ଲକ ଲେସୁନପାଲି ଗାଁର ନୃପ ଭୋଇ(୨୪), ଖଡିଆଳ ବ୍ଲକ କେନ୍ଦୁପାଟୀ ଗାଁର ଦୁଷ୍ମନ୍ତ ପୋଢ(୨୨) ଏବଂ ସୁମନ ପୋଢ(୨୦) ଅନୁଗୋଳସ୍ଥିତ ନାଲକୋ କମ୍ପାନୀରେ କାମ କରୁଥିଲେ ା ଲକ୍‌ଡାଉନ ପରେ ଗତ ୧ତାରିଖଠାରୁ କୌଣସି କାମ ନ ପାଇ ବସି ରହିଥିଲେ। ନିଜ ପାଖରେ ଥିବା ଟଙ୍କାରୁ ୫ଜଣ ୪ଟି ସାଇକେଲ କିଣିଥିଲେ ା ଗତ ୨୧ତାରିଖରୁ ବାହାରି ଗୁରୁବାର ପୂର୍ବାହ୍ନରେ ଏଠାରେ ଆସି ପହଞ୍ଚିଥିଲେ। ସେମାନଙ୍କ ପରିବାର ନିକଟରେ ଆବଶ୍ୟକ ଘର ନ ଥିବାରୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ ସେମାନଙ୍କୁ ରଖିବାକୁ ମନା କରିଦେଇଥିଲେ। ଶେଷରେ ଯୁବକଦ୍ୱୟ ଗଁା ନିକଟରେ ଥିବା ଏକ ଗଛମୂଳରେ ରହୁଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ ସେହି ଗଛରେ କ୍ୱାରାଣ୍ଟାଇନ ଷ୍ଟିକର ମାରି ଦେଇଛନ୍ତି। ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କୁ ଏ ନେଇ ପଚାରିବାରୁ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ଅନ୍ୟ ତିନିଜଣଙ୍କୁ ସମ୍ପୃକ୍ତ ପଞ୍ଚାୟତରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି ବୋଲି ସେ କହିଛନ୍ତି।