ଖୋଳାଯିବ ୧.୨୫ ଲକ୍ଷ କୂପ

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ସାରା ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ କୂପ(ଡଗ୍‌-ୱେଲ)ଖୋଳାଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ଏହି ଖନନ କାର୍ଯ୍ୟ କରାଯିବ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲାର ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ପ୍ରକଳ୍ପ ସଂଯୋଜକ(ଏମ୍‌ଜିଏନ୍‌ଆରଇଜିଏ)ଙ୍କୁ ଗତ ୧୯ ତାରିଖରେ ଚିଠି ଲେଖାଯାଇଛି। କେଉଁ ଜିଲାରେ କେତେ ସଂଖ୍ୟକ କୂପ ଖୋଳାଯିବ, ସେ ନେଇ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟ କୃଷି ପାଇଁ ବିକଳ୍ପ ଜଳସେଚନ ବ୍ୟବସ୍ଥା ସୃଷ୍ଟି କରିବ। ସେହିପରି ବିଭିନ୍ନ ଜିଲାରେ ବ୍ଲକୱାରି ତାଲିକା କରି ଚଳିତ ମାସ ୨୫ ସୁଦ୍ଧା ବିଭାଗକୁ ଜଣାଇବା ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟକୁ ଚଳିତ ଆର୍ଥିକ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନୁଗୋଳ ଓ ଗଜପତି ପାଇଁ ୨୦୦୦, ବାଲେଶ୍ୱର ୧୦୦୦, ବରଗଡ ୩୭୦୦, ଭଦ୍ରକ ୧୦୦୦, ବଲାଙ୍ଗୀର ୫୦୦୦, ବୌଦ୍ଧ ୧୫୦୦, କଟକ ୩୦୦୦, ଦେବଗଡ ୧୬୦୦ ଏବଂ ଢେଙ୍କାନାଳ ଜିଲାରେ ୪୫୦୦ ଗଭୀର କୂପ ଖନନ କରାଯିବ। ସେହିଭଳି ଗଞ୍ଜାମରେ ୧୨୦୦୦, ଜଗତ୍‌ସିଂହପୁର ୧୦୦୦, ଯାଜପୁର ୨୦୦୦, ଝାରସୁଗୁଡ଼ା ଓ ଖୋର୍ଦ୍ଧା ୧୦୦୦, କଳାହାଣ୍ଡି ୭୦୦୦, କନ୍ଧମାଳ ୭୦୦୦, କେନ୍ଦ୍ରାପଡ଼ା ୧୦୦୦, କେନ୍ଦୁଝର ୬୦୦୦ ଏବଂ କୋରାପୁଟ ପାଇଁ ୮୦୦୦ କୂପ ଖୋଳିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଅନୁରୂପ ଭାବେ ମାଲକାନଗିରି ଜିଲାରେ ୩୫୦୦, ମୟୂରଭଞ୍ଜରେ ୧୪୭୦୦, ନବରଙ୍ଗପୁର ୫୦୦୦, ନୟାଗଡ ଓ ନୂଆପଡ଼ା ୩୦୦୦, ପୁରୀ ୧୦୦୦, ରାୟଗଡା ୬୫୦୦, ସମ୍ବଲପୁର ୪୦୦୦, ସୋନପୁର ୨୦୦୦ ଏବଂ ସୁନ୍ଦରଗଡ ଜିଲାରେ ୧୧,୦୦୦ କୂପ ଖନନ ପାଇଁ ଲକ୍ଷ୍ୟ ରଖାଯାଇଛି।