ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ

ହାଟଡିହୀ,୧୫ା୧(ଡି.ଏନ.ଏ.)-ସରକାରୀ ନିୟମ ଫିକା ପଡିଛି। ସବୁ ଠିକ୍‌ଠାକ୍‌ ହେଉଥିବାର ଡିଣ୍ଡିମ ପିଟା ଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ସବୁ ଓଲଟା ା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୮ଟି ସମବାୟ ସମିତି ଅଧୀନରେ ୧୧ଟି ସରକାରୀ ଧାନ ମଣ୍ଡି ଖୋଲିଛି ା ନିୟମ ଅନୁସାରେ ଚାଷୀମାନେ ମଣ୍ଡିରେ ଧାନ ବିକିବେ। କିନ୍ତୁ ମଣ୍ଡିରେ ଦୀର୍ଘଦିନ ଧରି ଧାନ ପଡି ରହିଛି। ସମିତି ସମ୍ପାଦକମାନେ ମିଲ୍‌ ମାଲିକ ଗାଡି ଯୋଗାଉ ନ ଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି। ଏନେଇ ଚାଷୀମାନେ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଶୋଷଣର ଶିକାର ହେଉଛନ୍ତି। ଖୋଲା ଆକାଶ ତଳେ ଖରା କାକର ଖାଇ ଧାନ ବସ୍ତା ପଡି ରହିଛି। ରାତି ହେଲେ ଧାନ ବସ୍ତା ଚୋରି ହୋଇଯିବା ଭୟରେ ଚାଷୀ ରାତି ସାରା ଅନିଦ୍ରା ହୋଇ ଜଗି ରହୁଛନ୍ତି। ମଣ୍ଡିରୁ ଠିକ ଭାବେ ଧାନ ଉଠୁ ନ ଥିବା ବେଳେ କେତକ ଧାନ ବେପାରୀ, ମିଲ୍‌ ମାଲିକ ଓ ସମିତି ସମ୍ପାଦକଙ୍କ ମିଳିମିଶି ଅସାଧୁ ଉପାୟରେ ଗାଁ ଗହଳିରୁ କମ୍‌ ମୂଲ୍ୟରେ ଧାନ କିଣି ମାଲାମାଲ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଫଳରେ ମଣ୍ଡିରେ ଅବ୍ୟବସ୍ଥାରେ ଧାନ ପଡି ରହୁଛି ା ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଅସଲ ସତ୍ୟାସତ୍ୟ ଜଣାପଡିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଆନନ୍ଦପୁର ଯୋଗାଣ ଅଧିକାରୀ ବୁଧଦେବ ଜେନା କହିଛନ୍ତି ଯେ, ଏ ବାବଦରେ ମୁଁ ଜାଣି ନ ଥିଲି କି ସମିତି ସମ୍ପାଦକମାନେ ଅସୁବିଧା ବାବଦରେ ଜଣାଇ ନାହାନ୍ତି। ମିଲ୍‌ ମାଲିକଙ୍କ ସହ କଥା ହୋଇ ଗାଡି ବ୍ୟବସ୍ଥା କରାଇବୁ। ଏଥିସହ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଠାଇ ତଦନ୍ତ କରାଯିବ।