ଖୋର୍ଦ୍ଧା ଆର୍‌ଟିଓ ଅଫିସରୁ ୨ ଦଲାଲ ଗିରଫ: ୧୦୦ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଫର୍ମ, ୮୩ହଜାର ଟଙ୍କା ଜବତ

ଖୋର୍ଦ୍ଧା ଅଫିସ,୨ା୧୦: ଦଲାଲ ଦମନ ଅଭିଯାନରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ୨ ଜଣ ଦଲାଲଙ୍କୁ ମଙ୍ଗଳବାର ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଶରତ ମିଶ୍ର, ନୟାଗଡର ଲକ୍ଷ୍ମୀଧର ପ୍ରଧାନ। ସେମାନଙ୍କଠାରୁ ୧୦୦ଟି ଡାଇଭିଂ ଲାଇସେନ୍ସ ପାଇଁ ଆବେଦନ ଫର୍ମ ସହ ୮୩ ହଜାର ୪୦ ଟଙ୍କା ଜବତ କରାଯାଇଛି। ପୋଲିସ ୪୧୯, ୪୨୦, ୩୪ ଆଇପିସି ଦଫାରେ ୩୩୦/୧୯ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁସାରେ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଖୋର୍ଦ୍ଧା ଆର୍‌ଟିଓ ଅଫିସରୁ ମଙ୍ଗଳବାର ସନ୍ଧ୍ୟାରେ ଶରତ, ଲକ୍ଷ୍ମୀଧରଙ୍କୁ ଗିରଫ କରାଯାଇଥିଲା। ପରେ ସ୍କାର୍ଡ ସେମାନଙ୍କୁ ଖୋର୍ଦ୍ଧା ପୋଲିସକୁ ହସ୍ତାନ୍ତର କରିଥିଲା। ଅପରପକ୍ଷେ ଲକ୍ଷ୍ମୀଧର ଶରତଙ୍କ ସହଯୋଗୀ ବୋଲି ଜଣାପଡିଛି।