ଖୋର୍ଦ୍ଧାରେ ବିଦ୍ୟୁତ୍‌ କାଟ୍‌କୁ ନେଇ ଉତ୍ତେଜନା, କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାହକ

ଖୋର୍ଦ୍ଧା ଅଫିସ,୧୬।୧: ପୂର୍ବ ନିର୍ଦ୍ଧାରିତ ତାରିଖାନୁଯାୟୀ ସେସୁ ପକ୍ଷରୁ ଗୁରୁବାର ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ ହୋଇଛି। ୩୯ଟି ଟିମ୍‌ ବିଦ୍ୟୁତ୍‌ ବକେୟା ଥିବା ଗ୍ରାହକମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରୁଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିରେ ବିଦ୍ୟୁତ୍‌ କଟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୋଇସାହିର ୭ରୁ ଊର୍ଦ୍ଧ୍ୱ ଗ୍ରାହକଙ୍କର ଲାଇନ କଟା ଯାଉଥିବା ବେଳେ ସେମାନେ ଏହାକୁ ପ୍ରତିବାଦ କରିଥିଲେ। ଏପରି କି ସେମାନେ ୫ ବିଦ୍ୟୁତ୍‌ କର୍ମଚାରୀଙ୍କୁ ପ୍ରାୟ ୧ ଘଣ୍ଟା ଧରି ଅଟକ ରଖିଥିଲେ। ବିଦ୍ୟୁତ୍‌ କର୍ମଚାରୀ ଲାଇନ କାଟିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନଙ୍କୁ ଗ୍ରାହକମାନେ ଛାଡ଼ିଥିବା ସୂଚନା ମିଳିଛି।
ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ୩୯ଟି ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖାଯାଇଛି। ଖୋର୍ଦ୍ଧା ସବ୍‌ଡିଭିଜନରେ ୯ ସ୍କ୍ବାଡ୍‌ ସାମିଲ ହୋଇଛନ୍ତି। ୫୧୦୦୦ ଗ୍ରାହକଙ୍କ ଉପରେ ୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ବର୍ତ୍ତମାନ ଏହି ଚଢ଼ାଉ ଫଳରେ ବାକି ଥିବା ବିଲ୍‌ ସଂଗ୍ରହ ଆରମ୍ଭ ହୋଇଛି। ଦାଖଲ କରୁଥିବା ଗ୍ରାହକଙ୍କ ପୁନଃ ସଂଯୋଗ କରାଯାଉଛି।