ଖୋର୍ଦ୍ଧାରେ ଗୋଟିଏ ସମୟ ଖୋଲିବ ହାଟ, ବାଇକ୍‌ରେ ବୁଲିଲେ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା ଅଫିସ,୨ା୪ : ମହାମାରୀର ରୂପ ନେଇଥିବା କୋଭିଡ-୧୯ (କରୋନା ଭାଇରସ)ର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତିନି ସପ୍ତାହ ଲାଗି ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। କିନ୍ତୁ ଖୋର୍ଦ୍ଧାରେ କେତେକ ଅସାମାଜିକ ଲୋକ ଏହାକୁ ବେଖାତିର କରି ବାହାରେ ବୁଲିବା ସହ ଅଯଥାରେ ହାଟଗୁଡ଼ିକରେ ଗହଳି କରୁଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା ଓ ଫଳମୂଳ, ମାଛ, ମାଂସ, ଅଣ୍ଡା ପ୍ରଭୃତି ସକାଳ ୭ଟାରୁ ୧୨ ଟା ପର୍ଯ୍ୟନ୍ତ ଖୋଲିବା ଲାଗି ଉପଜିଲାପାଳ ଶାନ୍ତନୁ ମହାନ୍ତି ବୁଧବାର ନୋଟିସ ଜାରି କରିଛନ୍ତି। ଏହାସହ ଓମଫେଡ ଦୁଗ୍ଧ ସକାଳ ୭ରୁ ୯ ଏବଂ ସନ୍ଧ୍ୟା ୫ରୁ ୭ଟା ପର୍ଯ୍ୟନ୍ତ ଖୋଲା ରହିବ। କେବଳ ଔଷଧ ଦୋକାନ ବ୍ୟତୀତ ପନିପରିବା ଦୋକାନ ଅପରାହ୍ନ ପର୍ଯ୍ୟନ୍ତ ରହିିବ। ଏହି ନିୟମ ଉଲ୍ଲଂଘନ କରିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ସହରରେ ଦୁଇ ଓ ଚାରି ଚକିଆ ଯାନ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛିି। ବିନା କାରଣରେ ସହରରେ ଏଣେତେଣେ ବୁଲିଲେ କାର୍ଯ୍ୟାନୁଷ୍ଠାନ କରାଯିବ। କରୋନାର ଭୟାବହତାଙ୍କୁ ଉପଲବ୍ଧି କରି ସମସ୍ତେ ଘରେ ରହିବାକୁ ଉପଜିଲାପାଳ ମହାନ୍ତି ନୋଟିସ୍‌ରେ ଦର୍ଶାଇଛନ୍ତି।