ଖୋଜିଲେ ମିଳୁନି ଐତିହ୍ୟ ରାଜନଅର

ପୁରୁଣା ଭୁବନେଶ୍ୱର,୨୯।୧ (ଡି.ଏନ୍‌.ଏ.):ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ତଥା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ସୂଚୀ ୧୫୨ରେ ସ୍ଥାନ ପାଇଥିବା ପୁରୁଣା ଭୁବନେଶ୍ୱରର ଐତିହ୍ୟ ରାଜନଅର ନିଜର ସ୍ଥିତି ହରାଇଛି। ଜବର ଦଖଲ ସହ କାଳକ୍ରମେ ଅବକ୍ଷୟ କାରଣରୁ ମାଟିରେ ମିଶି ଗଲାଣି। ରାଜନଅରକୁ ଏକ କ୍ରମିକ ସଂଖ୍ୟା ଦେଇ ପର୍ଯ୍ୟଟନ ବିଭାଗ ନିଜର ଦାୟିତ୍ୱ ସାରିଦେଇଛି। ବିଭିନ୍ନ ସ୍ଥାନରେ ଐତିହ୍ୟ ସୁରକ୍ଷା ଓ ପ୍ରଚାର ପ୍ରସାର ନେଇ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ମେଳା ମହୋତ୍ସବ ଆୟୋଜିତ ହେଉଛି। ହେଲେ ସରକାର ଏହି ଐତିହ୍ୟସ୍ଥଳ ପ୍ରତି ଅବହେଳା କରୁଥିବା ଅଭିଯୋଗ ହେଉଛି।
କେନ୍ଦ୍ର ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଆମ୍‌ସାର ଆକ୍ଟଠାରୁ ଆରମ୍ଭ କରି ଏହାଠାରୁ ଅଧିକ କଡ଼ା ଆଇନ ଓଡ଼ିଶା ଆନ୍‌ସିଏଣ୍ଟ ମନ୍ୟୁମେଣ୍ଟ ପ୍ରିଜର୍ଭେଶନ ଆକ୍ଟ ୧୯୫୬ ରହିଛି। ଏଥିରେ ଭୂମି ଅଧିଗ୍ରହଣ, ନିୟମ ପ୍ରଣୟନ, ଐତିହ୍ୟ ଅଞ୍ଚଳରେ ଖନନ ଓ ନିର୍ମାଣ ସମ୍ବନ୍ଧୀୟ ନୀୟମ, ସଂରକ୍ଷିତ ଅଞ୍ଚଳ ରୂପେ ଘୋଷଣା ନିୟମ ତଥା ଐତିହ୍ୟ ସୁରକ୍ଷା ଓ ରକ୍ଷଣା ବେକ୍ଷଣ ନେଇ ଜେଲ ଓ ଜରିମାନା ପରି ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ପୂର୍ବରୁ ଏହି ନିୟମରେ ୫ହଜାର ଟଙ୍କା ଜରିମାନା ଓ ୩ମାସ ଜେଲ ଦଣ୍ଡାଦେଶ ବ୍ୟବସ୍ଥା ଥିଲା। ଏବେ ପରିବର୍ତ୍ତନ କରାଯାଇ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୭ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ବ୍ୟବସ୍ଥା ରହିଛି। କିନ୍ତୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ୨ଶହ ଫୁଟ ବ୍ୟବଧାନରେ ଅବସ୍ଥିତ ଏହି ଐତିହ୍ୟ ସ୍ଥଳର ସୁରକ୍ଷା ଦିଗରେ ଉପରୋକ୍ତ ଆଇନ୍‌କୁ କାର୍ଯ୍ୟକାରୀ କରାଯାଉନି। ଶକ୍ତିବିଭାଗ ଓ ବିଏମ୍‌ସି ପକ୍ଷରୁ ବିଜୁଳି ଓ ସଡ଼କ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସୁରକ୍ଷା ଦିଗରେ କୌଣସି ଗୁରୁତ୍ୱ ଦିଆଯାଉନି। ଫଳରେ ଜବରଦଖଲରେ ରହିଥିବା ଏହି ରାଜନଅରର ପୂରା ରୂପ ବଦଳିଗଲାଣି। ଖୋଜିଲେ ବି ମିଳୁନି ଏହି ଐତିହ୍ୟ।