ଖେଳ ଆରମ୍ଭ ହେଲା

ସମ୍ପାଦକୀୟ/ତଥାଗତ ସତପଥୀ
ସବୁ ଭାବୁଥିଲେ ଯେ, ମୋଦି-ଶାହ ମେଣ୍ଟ ଏ ଦେଶରେ ସବୁଠାରୁ ଚତୁର ଏବଂ ଦକ୍ଷ। କୁହାଯାଉଥିଲା ଯେ ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି ଅମିତ୍‌ ଶାହ, କାରଣ ହାରିଯିବା ପରେ ମଧ୍ୟ ଗୋଆ, କର୍ନାଟକ ଆଦି ରାଜ୍ୟରେ କିଣାବିକା କରି ସରକାର ଗଠନ କରିବାରେ କରିତ୍‌କର୍ମା ଭାବେ ଦେଖାଯାଉଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶର ଦାୟିତ୍ୱ ବହନ କରିଥିବା ଅମିତ୍‌ ଶାହଙ୍କ ଉପରେ ଅନେକ ବହି ମଧ୍ୟ ଲେଖାଯାଇଥିଲା। କିଛିଲୋକ ଅତି ବେଶି ଆଗୁଆ ହୋଇ ତାଙ୍କୁ ଆଧୁନିକ ଚାଣକ୍ୟ ଆଖ୍ୟା ଦେଇଥିଲେ। କିନ୍ତୁ ମହାରାଷ୍ଟ୍ର ରାଜନୀତିରେ ଫଡ୍‌ନବିସଙ୍କ ସମେତ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ବାସ୍ତବ ଦକ୍ଷତାର ପ୍ରମାଣ ମିଳିଗଲା। କ୍ଷମତାର ଅପବ୍ୟବହାର କରି ଜୋରଜବରଦସ୍ତ କରାଇ ନେବାର ଆଭିମୁଖ୍ୟ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ସର୍ବଦା ସଫଳ ହୁଏ ନାହିଁ। ଇନ୍ଦିରା ଗାନ୍ଧୀଙ୍କ ରାଜନୀତିକୁ କଠୋର ଭାଷାରେ ସମାଲୋଚନା କରିଆସୁଥିବା ଭାଜପା ଏବେ ସେହି ନୀତି ଆପଣାଇ ଭାରତର ସମଗ୍ର ରାଜନୈତିକ ଖେଳପଡିଆକୁ ମାଡିବସିବାର ଚେଷ୍ଟା ଏକ ବିରାଟ ବିଫଳତାର ସମ୍ମୁଖୀନ ହୋଇଛି। ଏବେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ବା ମହାବିକାଶ ଅଘାଡି ମେଣ୍ଟର ଯଦି ସରକାର ହୁଏ, ତେବେ ତାହା କେତେଦିନ ତିଷ୍ଠିବ କହିବା ଅତ୍ୟନ୍ତ କଷ୍ଟକର। ସମ୍ଭବତଃ ୬ ମାସରୁ ବର୍ଷକ ମଧ୍ୟରେ ସେହି ମେଣ୍ଟ ଭାଙ୍ଗିଯାଇପାରେ। ଅନ୍ୟପଟେ ଶରଦ ପାଓ୍ବାରଙ୍କ ଖେଳ ଦେଖି ମନେହେଉଛି ଯେ, ଏହି ମେଣ୍ଟ ସମ୍ପୂର୍ଣ୍ଣ ୫ ବର୍ଷ ପୂରଣ କରିବାର ଶକ୍ତି ରଖିଥାଇପାରେ। ସେ ବିଷୟରେ ଏବେ କହିବା ଅସମ୍ଭବ। କିନ୍ତୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ସମ୍ପୂର୍ଣ୍ଣ ଖେଳ ପାଓ୍ବାର ପରିବାରର ‘ପାଓ୍ବାର୍‌ପ୍ଲେ’ରେ ହୋଇଗଲା। ଏହା ବିଶେଷ ଭାବରେ କୌତୂହଳ ସୃଷ୍ଟିକରୁଛି, କାରଣ ଦେବେନ୍ଦ୍ର ଫଡ୍‌ନବିସ ତାଙ୍କ ନିଜର ଶକ୍ତି ଜାଣିପାରିବା ପୂର୍ବରୁ ତାଙ୍କ ଦ୍ୱାରା ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର ନିଜର ଇସ୍ତଫା ୨୬ ନଭେମ୍ବରରେ ପ୍ରଦାନ କରିଦେଲେ। ପରିସ୍ଥିତି ଏଭଳି ହେଲା ଯେ, ଦୁଇଦିନ ପୂର୍ବରୁ ଶପଥ ନେଇଥିବା ଫଡ୍‌ନବିସ ପଛରେ ପଡିଗଲେ ଏବଂ ଅଜିତ୍‌ଙ୍କ ଇସ୍ତଫା ପରେ ନିଜେ ଇସ୍ତଫା ଦେଲେ। ଏହା ସ୍ପଷ୍ଟ ପ୍ରମାଣ କରିଦେଲା ଯେ, ଭାଜପା ତା’ର ବୁଦ୍ଧି ହରାଇବସିଛି। ପାଓ୍ବାର ପରିବାରର ନାଟକରେ ଅଜିତ୍‌ଙ୍କ ସ୍ପଷ୍ଟ ଲାଭ ହେଲା। ଜଳସେଚନ ମନ୍ତ୍ରୀ ଥିବାବେଳେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ସହ ସମ୍ପୃକ୍ତ ଥିବା ଅଜିତ୍‌ ନିଜ ବିରୋଧରେ ଥିବା ୯ଟି ମାମଲାରୁ ତତ୍‌କ୍ଷଣାତ୍‌ ମୁକ୍ତି ପାଇଗଲେ। ଅନ୍ୟପଟେ ସେହି ନାଟକର ମଧ୍ୟାନ୍ତରରେ ଶରଦ ପାଓ୍ବାରଙ୍କ ସହଧର୍ମିଣୀ ପ୍ରତିଭା ପାଓ୍ବାର ଆଗେଇ ଆସିଲେ ଅଜିତ୍‌ଙ୍କୁ ପୁନର୍ବାର ପରିବାର ଭିତରକୁ ଡାକିନେବାକୁ। ଭାଜପା କେବଳ ଯେ ବଦନାମ ହେଲା ତା’ ନୁହେଁ, ବୁଦ୍ଧିର ଅଭାବ ସହିତ ଅତ୍ୟଧିକ କ୍ଷମତାଲୋଭ ତାହାକୁ ସାଧାରଣରେ ନିନ୍ଦିତ କଲା। ଅଜିତ୍‌ଙ୍କ ବିରୋଧରେ ସଙ୍ଗିନ ମାମଲା ପ୍ରତ୍ୟାହୃତ କରି ଭାଜପା ତା’ର ନୈତିକତା ସମ୍ପର୍କରେ ଦେଇ ଆସୁଥିବା ସବୁ ଭାଷଣକୁ ମିଥ୍ୟା ପ୍ରମାଣିତ କଲା। ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ସଂଖ୍ୟା ଜଣାପଡିଥିବା ସତ୍ତ୍ୱେ ଅର୍ଥଲୋଭ ଦେଖାଇ ବିଧାୟକ ଆଣିବାର ବିଫଳ ପ୍ରଚେଷ୍ଟା ଭାଜପାର କଳାଧନବିରୋଧୀ ଆଭିମୁଖ୍ୟକୁ ଅସତ୍ୟ ପ୍ରମାଣିତ କରିଛି। ମୋଟାମୋଟି ଦେଖିଲେ ଏହି ନାଟକରେ ସବୁଠାରୁ ଲାଭ ହେଲା ଅଜିତ୍‌ ଓ ପାଓ୍ବାର ପରିବାରର । ମହାରାଷ୍ଟ୍ରରେ ସରକାର ଯଦି ଗଢି ତାହାକୁ କିଛିବର୍ଷ ପାଇଁ ରଖିପାରିଲେ ସମ୍ପୃକ୍ତ ୩ ଅଣ-ଭାଜପା ଦଳର ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଲକ୍ଷ୍ମୀଭଣ୍ଡାରର ଅଭାବ ରହିବ ନାହିଁ। ଏହି ଭଣ୍ଡାର ପାଇଁ ବ୍ୟାକୁଳତା ପଦାରେ ପକାଇଦେଇଥିବା ଭାଜପା ଅନେକ ପରିମାଣରେ କ୍ଷତି ସହିବ।
ସବୁଠାରୁ ବୃହତ୍‌ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ନାଟକରେ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହିବାର ୨ଟି ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ଧୂଳିସାତ୍‌ ହୋଇଯାଇଛି। ଦେଶର ରାଷ୍ଟ୍ରପତି ହେଉଛନ୍ତି ସମ୍ବିଧାନର ମୁଖ୍ୟ ରକ୍ଷକ। ସେହି ବହି ବଳରେ ବଳୀୟାନ୍‌ ଦେଶର ରାଷ୍ଟ୍ରପତି ଓ ରାଜ୍ୟର ରାଜ୍ୟପାଳ ଉଭୟେ ଖୋଲାଖୋଲି ପକ୍ଷପାତିତା କରିଥିବାରୁ ଏକ ବିରାଟକାୟ ସାମ୍ବିଧାନିକ ଝଡ଼ ସୃଷ୍ଟି ହୋଇଛି। କରଦାତାଙ୍କ ଅର୍ଥରୁ ବଡ଼ ଆଡ଼ମ୍ବରରେ ରହି ପ୍ରବଳ ମାତ୍ରାରେ ଦରମା ନେଉଥିବା ଏହି ପଦବୀର ଏବକାର ଅଧିକାରୀ କୋବିନ୍ଦ ଓ କୋଶିୟାରୀ ରାତିଅଧିଆ ରାଷ୍ଟ୍ରପତି ଶାସନ ଜାରି, ବଡିଭୋରରୁ ପ୍ରତ୍ୟାହାର ଏବଂ ସକାଳ ୮ଟାରେ ରାଜ୍ୟପାଳଙ୍କ ଦ୍ୱାରା ଶପଥ ଦିଆଇବା ଭାରତୀୟ ସମ୍ବିଧାନ ସମ୍ପର୍କରେ କେତେକ ମୌଳିକ ପ୍ରଶ୍ନ ସୃଷ୍ଟି କରୁଛି। ଇନ୍ଦିରା ଗାନ୍ଧୀ ଅବିକଳ ଏହିଭଳି କାର୍ଯ୍ୟ କରୁଥିଲେ ବୋଲି ଏବେ ଭାଜପା ସମାଲୋଚନା କରୁଛି। କିନ୍ତୁ ନିଜେ ବିନା କ୍ୟାବିନେଟ ବୈଠକରେ ଜଣିକିଆ ନିଷ୍ପତ୍ତିକୁ ରାଷ୍ଟ୍ରପତି ମାନିନେଇ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ଓ ତାହାକୁ ପ୍ରତ୍ୟାହାର କରିବା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କଲା। କୌଣସି ସାମ୍ବିଧାନିକ ପରାମର୍ଶ ଲୋଡିବାକୁ ତାଙ୍କର ମନେ ପଡ଼ିଲା ନାହିଁ। ଏଠାରେ ତାଙ୍କର ଯୋଗ୍ୟତା ସମ୍ପର୍କରେ ପ୍ରଶ୍ନ ଉଠିପାରେ। ଅନୁରୂପଭାବେ କୋଶିୟାରୀଙ୍କ ଶପଥ ଦିଆଇବା ପୂର୍ବରୁ ବିଧାୟକଙ୍କ ସଂଖ୍ୟା ଗଣତି କରିବା ବିଷୟ ମନେ ପଡିଲା ନାହିଁ। ହୁଏତ ବୟସର ପ୍ରଭାବରେ ଏ ଦୁହେଁ ସ୍ମୃତିଶକ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ବସିଛନ୍ତି।
ଏଭଳି ସ୍ଥଳେ ଆମେରିକା ଭଳି ଦେଶରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଇମ୍ପିଚ୍‌ମେଣ୍ଟ ବା ମହାଭିଯୋଗ ନିଶ୍ଚିତ ଆରମ୍ଭ ହୋଇଯାଇ ଥାଆନ୍ତା। ଏକ ଉଡ଼ା ଖବର ଯୋଗୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଅଣାଯାଇଛି। ତେବେ ଭାରତରେ ୫ ବର୍ଷ ପାଇଁ ରାଜନୈତିକ କ୍ଷମତା ହାସଲ କରିପାରିଥିବା ବ୍ୟକ୍ତିଙ୍କର ନୈତିକତାକୁ ସେହି ସମୟ ଭିତରେ ପ୍ରଶ୍ନ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri