ଖେଳଣା ବନ୍ଧୁକ ଦେଖାଇ ପ୍ରଧାନଶିକ୍ଷୟିତ୍ରୀଙ୍କସୁନାଚେନ ଲୁଟ୍‌

ତିର୍ତ୍ତୋଲ,୧୭ା୯(ଡି.ଏନ.ଏ.): ତିର୍ତ୍ତୋଲ ଥାନା ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ପ୍ରଧାନଶିକ୍ଷୟିତ୍ରୀଙ୍କ ସୁନାଚେନ୍‌ ଲୁଟ୍‌ ହୋଇଛି। ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଶ୍ରେଣୀଗୃହରେ ପଢାଉଥିବାବେଳେ ଦୁର୍ବୃତ୍ତ ଖେଳଣା ବନ୍ଧୁକ ଦେଖାଇ ତାଙ୍କ ଚେନ ଲୁଟି ନେଇଛନ୍ତି। ଲୁଟ୍‌ବେଳେ ପ୍ରଧାନଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ନଂ-୨୬୫/୧୯ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରିନାହିଁ।
ସୂଚନା ଅନୁସାରେ, ପ୍ରଧାନଶିକ୍ଷୟିତ୍ରୀ ମଲ୍ଲିକ ସ୍କୁଲଠାରୁ ୨ କିମି ଦୂର ବମ୍ବିଲୋ ଗ୍ରାମରେ ରୁହନ୍ତି। ସବୁଦିନ ଭଳି ସେ ଆସି ଶ୍ରେଣୀଗୃହକୁ ଯାଇଥିଲେ। ସେଠାରେ ପଢାଉଥିବା ବେଳେ ଦୁଇଜଣ ଯୁବକ ଏକ ବାଇକରେ ଆସି ସ୍କୁଲଗେଟ ପାଖରେ ରହିଥିଲେ। ପଛରେ ବସିଥିବା ଯୁବକ ହେଲମେଟ ପିନ୍ଧି ସ୍କୁଲକୁ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଖୋଜିଖୋଜି ଶ୍ରେଣୀଗୃହକୁ ଯାଇଥିଲେ। ପରେ ନିଜ ପିଲାଙ୍କୁ ଏହି ସ୍କୁଲରେ ପଢ଼ାଇବା ସମ୍ପର୍କରେ କଥା ହୋଇଥିଲେ। ଏହାପରେ ହଠାତ ଖେଳଣା ବନ୍ଧୁକ ଦେଖାଇ ପ୍ରଧାନଶିକ୍ଷୟିତ୍ରୀଙ୍କ ବେକରୁ ଚେନ ଲୁଟିନେଇ ବାହାରେ ଅପେକ୍ଷା କରିଥିବା ବାଇକ ଆରୋହୀଙ୍କ ପଛରେ ବସି ପଳାଇଥିଲେ। ଗଲାବେଳେ ଏହି ଲୁଟରେ ବ୍ୟବହାର କରିଥିବା ବନ୍ଧୁକକୁ ଫୋପାଡ଼ ଦେଇଥିଲେ। ଆଇଆଇସି କୃଷ୍ଣପ୍ରସାଦ ମିଶ୍ର ସ୍କୁଲକୁ ଯାଇ ଖେଳଣା ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବ ବିବାଦ କିମ୍ବା ଜମିଜମାକୁ ନେଇ ଏହି ଘଟଣା ଘଟିଥାଇ ପାରେ ବୋଲି ଆଲୋଚନା ହେଉଛି। ହେଲେ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।