ଖୁଣ୍ଟ ଅଛି, ମିଟର ବସିଛି, ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୧୧ା୬(ସ୍ବ.ପ୍ର.): ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବହୁ ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଛି, ଘରେ ମିଟର ଓ ପାଇପ ଲଗାଯାଇଛି କିନ୍ତୁ ଲୋକମାନେ ବର୍ଷବର୍ଷ ଧରି ଅନ୍ଧାରରେ ରହୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ପୀଠଗୋଳା ଗ୍ରାମ ଘୋଡ଼ାମୁଣ୍ଡା ସାହି (୧୧ନମ୍ବର) ଓ୍ବାର୍ଡରେ। ଏହି ସାହିରେ ୩୦ ଆଦିବାସୀ ଓ ଅନ୍ୟ ସମ୍ପ୍ରଦାୟର ପରିବାର ବସବାସ କରୁଛନ୍ତି। ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୫୦କିମି ଦୂର ଦୁର୍ଗମ ଇଲାକାର ଏହି ଗ୍ରାମରେ ବିଦ୍ୟୁତ୍‌ ସତେ ଯେମିତି ସାତସପନ ପାଲଟିଛି। ୨୦୧୯ ମସିହାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହା ଦେଖି ଗ୍ରାମବାସୀ ଖୁସି ହୋଇଯାଇଥିଲେ। ଇତିମଧ୍ୟରେ ବର୍ଷେ ବିତିଥିଲେ ହେଁ ଗ୍ରାମବାସୀ ଆଲୋକ ଦେଖିପାରି ନାହାନ୍ତି। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟକୁ ବାରମ୍ବାର ଧାଇଁ ନୟାନ୍ତ ହୋଇଥିଲେ ହେଁ ଆଲୋକ ଦେଖିପାରିନାହାନ୍ତି ବୋଲି ସ୍ଥାନୀୟ ଅଧିବାସୀ ଦୁଃଖବନ୍ଧୁ ସାହୁ କହିଛନ୍ତି। ଗତ ଡିସେମ୍ବରରେ ଅଭିଯୋଗ କରିବା ପରେ ୭ ଦିନ ମଧ୍ୟରେ ବିଦ୍ୟୁତ୍‌ ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଅଦ୍ୟାବଧି ବିଦ୍ୟୁତ ସେବା ମିଳିନାହିଁ। ଏଣୁ ଏନେଇ ଶକ୍ତି ସଚିବ ଓ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବୁ ବୋଲି ସ୍ଥାନୀୟ ମଙ୍ଗଲୁ ଦେହୁରୀ, ବାସୁଦେବ ଦେହୁରୀ, ରଞ୍ଜନା ଦେହୁରୀ ପ୍ରମୁଖ ଚେତାବନୀ ଦେଇଛନ୍ତି।