Categories: ଜାତୀୟ

ଖୁଣ୍ଟିରେ ମୋଦିଙ୍କ ବିଧାନସଭା ନିର୍ବାଚନ ପ୍ରଚାର: ୨ ବର୍ଷ ତଳେ ଭାଜପା ସରକାର ୧୦ ହଜାର ଲୋକଙ୍କ ଉପରେ ଆଣିଥିଲେ ଦେଶଦ୍ରୋହ ଅଭିଯୋଗ

ରାଞ୍ଚି,୩।୧୨: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁଣ୍ଟିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମୋଦି ପ୍ରକାଶ କରିଛନ୍ତି। ସେଥିପାଇଁ ଭୋଟର ବହୁ ସଂଖ୍ୟାରେ ଭାଜପାକୁ ଭୋଟ ଦେବାକୁ ମୋଦି କହିଛନ୍ତି। ତେବେ ୨ ବର୍ଷ ତଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଭାଜପା ସରକାର ଏହି ଅଞ୍ଚଳରେ ବାସକରୁଥିବା ଜନଜାତି ସମ୍ପ୍ରଦାୟଙ୍କ ପଥଲଗଡ଼ି ପରମ୍ପରାକୁ ବିରୋଧ କରି ଜୁନ୍‌ ୨୦୧୭ରୁ ଜୁଲାଇ ୨୦୧୮ ମଧ୍ୟରେ ୧୦ ହଜାର ଲୋକଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଆଣିଥିଲେ। ପରମ୍ପରା ଅନୁସାରେ ଜନଜାତି ସମ୍ପ୍ରଦାୟ ନିଜ ନିଜ ବଂଶାବଳୀ ପଥରରେ ଖୋଦିତ କରୁଥିଲେ। ଭାଜପା ସରକାରଙ୍କ ସମୟରେ ଜନଜାତି ସମ୍ପ୍ରଦାୟ ନିଜ ଅଧିକାର ସମ୍ପର୍କରେ ପଥରରେ ଖୋଦେଇ କରିଥିଲେ। ଏନେଇ ରାଜ୍ୟ ସରକାର ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଥିଲେ। ମୋଟ ୧୧ ହଜାର ୨ ଶହ ଲୋକଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା। ସରକାରୀ ଆଇନ କାନୁନ ଭଙ୍ଗ ନେଇ ସେମାନଙ୍କ ମଧ୍ୟରୁ୧୦ ହଜାର ଲୋକଙ୍କ ଉପରେ ଦେଶଦ୍ରୋହ ଚାର୍ଜ ଲଗାଯାଇଥିଲା। ଏହାକୁ ନେଇ ତତ୍‌କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

Share