ଖୁଚୁରା ମଦ ଦୋକାନ ଖୋଲିବାକୁ ବିରୋଧ

ଛେଣ୍ଡିପଦା,୪।୩(ସ୍ବ.ପ୍ର.) – ଛେଣ୍ଡିପଦା ଥାନା ପାଟକୁମୁଣ୍ଡା ପଞ୍ଚାୟତ ଭାଲୁଖାଇଢ଼ିପ ଠାରେ ପ୍ରସ୍ତାବିତ ଖୁଚୁରା ମଦ ଦୋକାନ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ବିରୋଧ କରିଛି ଭାଲୁଖାଇଢ଼ିପ ଆଞ୍ଚଳିକ ମହିଳା ମଞ୍ଚ। ଏ ନେଇ ମଙ୍ଗଳବାର ମଞ୍ଚ ସଭାନେତ୍ରୀ ଟୁନୀ ସାହୁଙ୍କ ଆବାହକତ୍ୱରେ ୧୯ଟି ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ଓ ଗ୍ରାମ୍ୟ କମିଟିର ସଦସ୍ୟାମାନଙ୍କୁ ନେଇ ଭାଲୁଖାଇଢ଼ିପ ପ୍ରାଥମିକ ବିଦ୍ୟାଳୟଠାରେ ଏକ ବୈଠକ ବସିଥିଲା। ବୈଠକରେ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ବୁଧବାର ଅନୁଗୋଳ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଅବକାରୀ ଅଧୀକ୍ଷକ, ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଭାଲୁଖାଇଢ଼ିପରେ ଯଦି ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଦସ୍ୟାମାନେ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭାଲୁଖାଇଢ଼ିପ ଆଞ୍ଚଳିକ କମିଟି ସମ୍ପାଦିକା ଅନା ବିଶ୍ୱାଳ, କୋଷାଧ୍ୟକ୍ଷ ସବିତା ସାହୁ, ପିଙ୍କି ସାହୁ, କୁନୀ ସାହୁ, ତପସ୍ବିନୀ ସାହୁ, ସୁଜାତା ସାହୁ, ସବିତା ସାହୁ, ବାସନ୍ତୀ ସାହୁ, ଜାତକ ସାହୁ, ବିନତୀ ସାହୁଙ୍କ ସମେତ ୧୯ଟି ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀ ଯୋଗଦେଇଥିଲେ।