ଖାସି ମୁଣ୍ଡ ପାଇଁ ଜୀବନ ହାରିଲେ ମହିଳା

ପାଟଣା,୫।୫(ସ୍ବ.ପ୍ର.)- ଖାସି ମୁଣ୍ଡ କିଣି ନ ଆଣିବାରୁ ରବିବାର ବିଳମ୍ବିତ ରାତିରେ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ମହିଳା ଜଣକ ହେଲେ ପାର୍ବତୀ ମୁଣ୍ଡା। ସାହାରପଡା ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୨୩/୨୦) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ପାର୍ବତୀଙ୍କ ସ୍ବାମୀ ୩ ବର୍ଷ ତଳେ ଭଦ୍ରକ ଅଞ୍ଚଳରେ ଦ୍ୱିତୀୟ ବିବାହ କରି ସେଠାରେ ରହୁଛନ୍ତି। ମହିଳା ଜଣକ ନିଜ ୩ ପିଲା ଓ ଦିଅରଙ୍କ ସହ ରହୁଥିଲେ। ରବିବାର ସାହାରପଡା ସାପ୍ତାହିକ ହାଟରୁ ଏକ ଖାସି ମୁଣ୍ଡ କିଣି ଆଣିବାକୁ ପାର୍ବତୀ ତାଙ୍କ ଦିଅରଙ୍କୁ ଟଙ୍କା ଦେଇ ପଠାଇଥିଲେ। ହେଲେ ଖାସି ମୁଣ୍ଡ ନ ମିଳିବାରୁ ସେ ଘରକୁ ଫେରି ଆସିଥିଲେ। ପରେ ପାର୍ବତୀ ନିଜେ ବଜାରକୁ ଯାଇ ମାଛ ଆଣି ତରକାରୀ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ଦିଅର ଓ ଭାଉଜଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପାର୍ବତୀ ଉତ୍‌କ୍ଷିପ୍ତ ହୋଇ ରାତିରେ ଘରୁ ଚାଲି ଯାଇଥିଲେ। ସକାଳେ ସେ ଘର ପଛ ପାର୍ଶ୍ୱରେ ଥିବା ଏକ ନିମ୍ବ ଗଛ ଡାଳରେ ପିନ୍ଧା ଲୁଗାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘରଲୋକ ଦେଖିବାକୁ ପାଇଥିଲେ। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।