ଖାକିରେ କଳଙ୍କ: ବଳାତ୍କାର ପରେ ନାବାଳିକା ଝିଆରି ୫ ମାସର ଗର୍ଭବତୀ, ହାବିଲଦାରଙ୍କୁ ବାନ୍ଧିଲା କ୍ୟାପିଟାଲ ପୋଲିସ

ଭୁବନେଶ୍ୱର, ୫।୩(ବ୍ୟୁରୋ): ଖାକିରେ କଳଙ୍କ। ଜଣେ ହାବିଲଦାରଙ୍କ ନାମରେ ଆସିଛି ବଳାତ୍କାର ଅଭିଯୋଗ। ସେ ହେଲେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ପେଟି । ସମ୍ପର୍କୀୟ ନାବାଳିକା ଝିଆରିଙ୍କୁ ବିଜୟ ବଳାତ୍କାର କରିଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି।
ପ୍ରକାଶ ଯେ, ନାବାଳିକା ଝିଆରୀ ଶହୀଦନଗର ଥାନା ଅଞ୍ଚଳରେ ରୁହନ୍ତି। ବିଜୟଙ୍କ ସ୍ତ୍ରୀ କ୍ୟାନ୍‌ସର ରୋଗରେ ପୀଡିତ ଅଛନ୍ତି। ତେଣୁ ସେ ସ୍ତ୍ରୀଙ୍କ ସେବା କରିବା ପାଇଁ ୬ ମାସ ପୂର୍ବେ ଝିଆରୀଙ୍କୁ ନିଜ ଘରକୁ ନେଇଥିଲେ। ସେଠାରେ ସେ ତାଙ୍କୁ ନିଶା ଦେଇ ବଳାତ୍କାର କରିଥିଲେ। ଏ କଥା କାହାକୁ ନ ଜଣାଇବାକୁ ତାଙ୍କୁ ଧମକଚମକ ଦେଇଥିଲେ। ମାତ୍ର ନାବାଳିକା ଗର୍ଭବତୀ ହେବା ପରେ ସମସ୍ତ ଘଟଣା ସମ୍ମୁଖକୁ ଆସିଥିଲା। ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ନାବାଳିକା ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଛି।