ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା: ରିଟେଲର ନିଲମ୍ବିତ

ତିହିଡ଼ି,୪।୩(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗରେ ରିଟେଲର ମୁରଲୀଧର ମାଝୀଙ୍କୁ ଉପଜିଲାପାଳ ନିଲମ୍ବନ କରିଛନ୍ତି। ଉପଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ. ୫୪ ତା ୩।୩।୨୦ ରିଖରେ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ଏହି ନିଲମ୍ବନ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ କାର୍ଯ୍ୟାଳୟ ସାମ୍ନାରେ ବସିଥିବା ଧାରଣାକାରୀଙ୍କୁ ସୂଚନା ଦେବା ପରେ ଅନଶନ ଓ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନା ଥାଉକି, ଏହି ପଞ୍ଚାୟତର ସୁଲୋଚନା ମାଝୀ ନାମ୍ନୀ ଜଣେ ହିତାଧିକାରୀଙ୍କୁ ୧୨ମାସ ଧରି ଚାଉଳ ଦିଆଯାଇ ନ ଥିବା ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଯୋଗାଣ ଅଧିକାରୀ ଏବଂ ଯୋଗାଣ ବିଭାଗ ସ୍କ୍ବାଡ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରେ ଗତବର୍ଷ ଫେବୃୟାରୀ, ମାର୍ଚ୍ଚ, ଏପ୍ରିଲ, ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ଦିଆଯାଇ ନ ଥିବା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଏହି ରିପୋର୍ଟ ଆଧାରରେ ରିଟେଲରଙ୍କୁ ନିଲମ୍ବିତ କରାଯାଇଛି। ତେବେ ରିଟେଲରଙ୍କ ନିଲମ୍ବନ ଦାବିରେ ମଙ୍ଗଳବାର ମଧ୍ୟାହ୍ନରୁ ପଞ୍ଚାୟତ ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଅନଶନ କରାଯିବା ସହ ଗଣଧାରଣା ଦିଆଯାଇଥିଲା। ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ପୂର୍ବତନ ସମିତିସଭ୍ୟ ମାନସ ରଞ୍ଜନ ନାୟକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀଧର ତରାଇ ଓ ମଣ୍ଡଳ ସଭାପତି ରାଜାରାମ ମହକୁଡ଼ ପ୍ରମୁଖଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଥିଲା।