ଖାଁ ଖାଁ ଅଲାରନାଥ ପୀଠ, ଶୁଭୁନି ଭକ୍ତଙ୍କ ଗହଳି

ବ୍ରହ୍ମଗିରି, ୬।୬(ଡି.ଏନ୍‌.ଏ): ସ୍ନାନ ପୂର୍ଣ୍ଣିମାରେ କାଳିଆ ସାନ୍ତ ଭାଇ ଭଉଣୀଙ୍କ ସହିତ ମହାସ୍ନାନ କରି ଜ୍ବରରେ ପଡି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି। ଏହି ସମୟରେ ଆଉ ଏକ ଲୀଳା କ୍ଷେତ୍ର ପାଲଟିଛି ବ୍ରହ୍ମଗିରିର ଅଲାରନାଥ ପୀଠ। ୧୪ ଦିନ ପାଇଁ ଏହି ପୀଠ ଦ୍ବିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବେଳେ ମହାପ୍ରଭୁଙ୍କ ଅନବସର ଦର୍ଶନ ପାଇଁ ଭକ୍ତଙ୍କ ଲାଗିଥାଏ ଭିଡ଼। ହେଲେ ଚଳିତ ବର୍ଷ କରୋନା ପ୍ରଭାବ ଯୋଗୁଁ ଏହି ପୀଠରେ ୧୪୪ ଧାରା ଜାରି କରାଯାଇ ଅନବସର ଦର୍ଶନ ବନ୍ଦ ରହିଛି। ଫଳରେ ଏହି ପୀଠ ଏବେ ଖାଁ ଖାଁ ପଡିଛି। ସୂଚନାଯୋଗ୍ୟ, ଚତୁର୍ଦ୍ଧା ମୃର୍ତ୍ତିଙ୍କ ମହାସ୍ନାନ ପରେ ଶ୍ରୀଜିଉମାନେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବା ସମୟରେ ବ୍ରହ୍ମଗିରି ଅଲାରନଥ ପୀଠରେ ଶନିବାରଠାରୁ ଆରମ୍ଭ ହୋଇଛି ଅନବସର ନୀତି। ଜଗନ୍ନାଥଙ୍କ ଦର୍ଶନ ଓ ଅଭଡା ମୁଠାଏ ପାଇବା ପାଇଁ ବ୍ୟାକୁଳ ଭକ୍ତ ଧାଇଁ ଆସିଥାଏ ଏହି ଅଲାରନାଥଙ୍କ ପୀଠକୁ। ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ପ୍ରିୟ ପ୍ରସାଦ କ୍ଷୀରି ଟିକିଏ ପାଇ ଜଗନ୍ନାଥ ଦର୍ଶନର ସମଫଳ ପାଇଥାଏ। ଅନବସର ୧୪ ଦିନ ଯାଏ ଦିନରାତି ଏହି ପୀଠ ଚଳଚଞ୍ଚଳ ହୋଇପଡିଥାଏ। କିନ୍ତୁ ଆଜି ସବୁ ଶୂନଶାନ। ଖାଁ ଖାଁ ପଡିଛି ସିଂହଦ୍ବାର। ଶୁଭୁନି ଭକ୍ତଙ୍କ ଗହଳି। କରୋନା ସଂକ୍ରମଣର ଭୟ ଦୃଷ୍ଟିରେ ରଖି ଲକ୍‌ଡାଉନ ନିୟମ ଅନୁଯାଇ ଅଲାରନାଥ ପୀଠରେ ୧୪୪ ଧାରା ଲଗାଇ ଅନବସର ଦର୍ଶନ ବନ୍ଦ କରାଯାଇଛି। ପ୍ରଶାସନ ପକ୍ଷରୁୁ ମନ୍ଦିର ଚାରିପଟେ ବ୍ୟାରିକେଡ କରାଯାଇ ସିଂହଦ୍ବାରକୁ ସଂପୂର୍ଣ୍ଣ ସିଲ୍‌ କରିଦିଆଯାଇଛି। ୧୧ଜଣ ପାଳିଆ ସେବକଙ୍କୁ ନେଇ ଅନବସର ନୀତି କରାଯାଇଛି। ଭୋର ୪ଟାରୁ ଦ୍ବାର ଫିଟା, ମଙ୍ଗଳ ଆଳତି ସହ ସମସ୍ତ ନୀତିକାନ୍ତି ସମାପନ ହୋଇଥିବା ନେଇ ମନ୍ଦିର ସେବାୟତ ସୁଚନା ଦେଇଛନ୍ତି।