Categories: ଗଞ୍ଜାମ

ଖଲ୍ଲିକୋଟ କଲେଜରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର ଅଫିସ୍‌,୨୭ା୭-ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ଖଲ୍ଲିକୋଟ ଜୁନିୟର୍‌ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର କେତେକ ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରିଥିଲେ। କଲେଜରେ କମ୍‌ନ ରୁମ୍‌ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ରାସ୍ତାରେ ସମୟ କାଟୁଛନ୍ତି । ପିଇବା ପାଇଁ ପାଣି ନାହିଁ । ଯୁକ୍ତ ୨ ଶ୍ରେଣୀ କକ୍ଷ ନାହିଁ । ଅଡିଟୋରିୟମ୍‌ ଅଭାବରୁ ସେମିନାର୍‌ ଆୟୋଜିତ ହୋଇପାରୁନି ।
କ୍ରୀଡ଼ା ଉପକରଣ ନାହିଁ । ଫଳରେ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରୁନି। କଲେଜର ଏକମାତ୍ର ଷ୍ଟାଡିୟମ୍‌ର ଉନ୍ନତିକରଣ କରାଯାଉନି ।
କଲେଜରେ ଥିବା ବିଭିନ୍ନ ଯୁବ ସଂଗଠନ ଯଥା ଜାତୀୟ ସେବା ସଂସ୍ଥା, ସ୍କାଉଟ୍‌ ଏବଂ ଗାଇଡ୍‌, ରେଡକ୍ରସ୍‌ କାର୍ଯ୍ୟ କରାଯାଉନାହିଁ । କ୍ୟାମ୍ପସରେ ସ୍ବତନ୍ତ୍ର ଶୌଚାଳୟ ନାହିଁ। ହଷ୍ଟେଲ୍‌ ଅଭାବ ଦେଖାଦେଇଛି । ଏସବୁ ସମସ୍ୟାର ସମାଧାନ ଦାବିରେ ଛାତ୍ର ଆନ୍ଦୋଳନ ଦେଖାଦେଇଥିଲା । ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲା । ସମସ୍ୟାର ସମାଧାନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।