ଖରିଫ୍‌ ଧାନ ଶସ୍ୟବୀମା ପ୍ରଦାନ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ଜମନକିରା,୩୦।୧(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮ ମସିହାର ଖରିଫ୍‌ ଧାନଚାଷ ବୀମାରାଶି ପ୍ରଦାନ ନେଇ ଉଭୟ ପ୍ରଶାସନ ଓ ବୀମା କମ୍ପାନୀ ବିଭିନ୍ନ ସମୟରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି। ଫଳରେ ଚାଷୀମାନେ ଅନ୍ୟ ଉପାୟ ନ ପାଇ ଆସନ୍ତା ଫେବୃଆରୀ ୨ ତାରିଖରେ କୁଚିଣ୍ଡାରେ ଆନ୍ଦୋଳନ କରିବେ ବୋଲି ଗୁରୁବାର ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବୀମା ରାଶି ରିଲାଏନ୍ସ କମ୍ପାନୀ ପ୍ରଦାନ କରିବାକୁ ଥିବା ବେଳେ ଚାଷୀମାନେ ଆଜିର ବୈଠକରେ ସଂପୃକ୍ତ କମ୍ପାନୀ ଦ୍ୱାରା ପରିଚାଳିତ ସମସ୍ତ ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଉପଖଣ୍ଡସ୍ତରୀୟ ଚାଷୀ ସଂଗଠନର ଆବାହକ କୁଶଧ୍ୱଜ ଚୌଧୁରୀ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।