ଖରାରେ ପିଲାଙ୍କୁ ଡାକି ବହି ବୋହିବା ଘଟଣା: ସିଆର୍‌ସିସି ନିଲମ୍ବିତ

କୋରୁକୋଣ୍ଡା,୯।୫(ଡି.ଏନ.ଏ): ଗତ ଏପ୍ରିଲ ୨୪ ତାରିଖରେ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତର ସି- କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଣ୍ଡ ଖରାରେ ପିଲାଙ୍କୁ ଘରୁ ଡାକି ସିଆରସିସି ପାଠ୍ୟପୁସ୍ତକ ବୁହାଇଥିଲେ। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଘଟଣାର ତଦନ୍ତ କରି ଜିଲ୍ଲା ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ସେଠୀ ଉକ୍ତ ସିଆରସିସି ଶରତ ଚନ୍ଦ୍ର ପାଢ଼ୀଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଘଟଣାକୁ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ଜିଲା ଶିକ୍ଷାଧିକାରୀଙ୍କ ଏପରି ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ଏପରି ଶିକ୍ଷକମାନଙ୍କ ଉପରେ ଜିଲା ଶିକ୍ଷାଧିକାରୀ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ତେବେ ଶନିବାର ଛୁଟି ଥିବାରୁ ସିଆରସିସିଙ୍କ ନିଲମ୍ବନ ବିଷୟ ଫୋନ ଯୋଗେ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ପତିତପାବନ ଦାସ ସୂଚନା ଦେଇଛନ୍ତି।