ଖବରକାଗଜରେ ଲୋକଙ୍କ କଥା ଉପସ୍ଥାପନ କରୁଥିଲେ ଗାନ୍ଧିଜୀ

ଢେଙ୍କାନାଳ ଅଫିସ,୩୧ା୧- ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଗୁରୁବାର ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାମ ଉନ୍ମୋଚିତ ହୋଇଛି। ଭାରତୀୟ ସାମ୍ବାଦିକ କ୍ଷେତ୍ରରେ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ ଥିଲା। ତାଙ୍କ ଭାଷା ଥିଲା ଅତି ସାଧାରଣ ଓ ସ୍ପଷ୍ଟ। ସାଧାରଣ ଲୋକଙ୍କ କଥାକୁ ଖବରକାଗଜ ମାଧ୍ୟମରେ ସେ ଉପସ୍ଥାପନ କରୁଥିଲେ। ବର୍ତ୍ତମାନ ପିଢିର ଖବରଦାତାମାନେ ଗାନ୍ଧିଜୀଙ୍କ ସାମ୍ବାଦିକତା ମାର୍ଗକୁ ଆପଣାଇ ପାରିଲେ ସମୃଦ୍ଧ ଦେଶ ଗଠନ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ସଂସ୍ଥାନର ସହକାରୀ ପ୍ରଫେସର ଡ. ଜ୍ୟୋତିପ୍ରକାଶ ମହାପାତ୍ର, ସମ୍ବିତ ପାଲ ଓ ଏକାଡେମିକ୍‌ କୋଅର୍ଡିନେଟର ଜିତେନ୍ଦ୍ର ପତି ଏହାକୁ ଉନ୍ମୋଚିତ କରିଥିଲେ। ଏଥିରେ ମହାତ୍ମା ଗାନ୍ଧୀଙ୍କ ଅଣଜାତି ତୁଷାର ଅରୁଣ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦେଶର ବିଶିଷ୍ଟ ଲେଖକ, ଶିକ୍ଷାବିତ, ସାମ୍ବାଦିକ ଓ ଐତିହାସିକଙ୍କର ୨୬ଟି ନିବନ୍ଧ ସ୍ଥାନ ପାଇଛି ା ସାମ୍ବାଦିକତା ଏବଂ ସମ୍ପାଦନା କ୍ଷେତ୍ରରେ ଗାନ୍ଧିଜୀଙ୍କ ଅବଦାନ ତଥା ବିଭିନ୍ନ ଭୂମିକା ନିବନ୍ଧଗୁଡିକରେ ଆଲୋଚନା ହୋଇଛି। ଆଇଆଇଏମ୍‌ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ଓ କଲିକତା ଦୂରଦର୍ଶନର ବରିଷ୍ଠ ସାମ୍ବାଦିକ ସ୍ନେହାଶିଷ ସୂର ମନୋଗ୍ରାଫ୍‌କୁ ସମ୍ପାଦନା କରିଛନ୍ତି ା ନିବନ୍ଧଗୁଡିକୁ ମୂଳ ଇଂଲିଶରୁ ଓଡ଼ିଆରେ ଅନୁବାଦ କରିଛନ୍ତି ଏକାଡେମିକ୍‌ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନ ା