ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ମଲ୍ଟି ଷ୍ଟେଶନ ହ୍ୟାଣ୍ଡ ସାନିଟାଇଜର

କଟକ ଅଫିସ୍‌,୨୦ା୬:  ସ୍ବଦେଶୀ ବୈଷୟିକ ଜ୍ଞାନ କୌଶଳ ଓ ସମ୍ବଳକୁ ଆଧାର କରି ରାଜ୍ୟରେ କରୋନା ମୁକାବିଲା ପାଇଁ ନୂତନ ଉଦ୍ଭାବନ ଜାରି ରଖିଛି। କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲକ୍‌ଡାଉନ୍‌ ସମୟରେ ଲଗାତାର ଭାବେ ଅନେକ ନୂତନ ଉଦ୍ଭାବନ କରି ଅନୁଷ୍ଠାନ ଜାତୀୟସ୍ତରରେ ପ୍ରଶଂସିତ ମଧ୍ୟ ହୋଇଛି। କିଛି ଦିନ ତଳେ ପ୍ରସ୍ତୁତ ହୋଇଥିଲା ଦୁଇଟି ରୋବୋଟ୍‌। ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ ଉକ୍ତ ଦୁଇ ରୋବୋଟ୍‌ର ନାମ ଥିଲା କୋ-ବଟ୍‌ ଓ ନିଗା-ବଟ୍‌। ଏହା ପୂର୍ବରୁ ଫୁଟ୍‌ ଅପରେଟେଡ ସାନିଟାଇଜର ଓ ସାମ୍ପଲ ସଂଗ୍ରହ କିଓସ୍କ, ବିଶୋଧନାଗାର, ଥର୍ମାଲ ଗନ୍‌ ପ୍ରସ୍ତୁତ କରିଥିବା ବେଳେ ବର୍ତ୍ତମାନ ଅନୁଷ୍ଠାନର ଉଦ୍ଭାବନ ତାଲିକାରେ ଯୋଡ଼ି ହୋଇଛି ମଲ୍ଟି ଷ୍ଟେଶନ ହ୍ୟାଣ୍ଡ ସାନିଟାଇଜର। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ହ୍ୟାଣ୍ଡ ସାନିଟାଇଜର ଯନ୍ତ୍ର ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଏକ ସମୟରେ ବହୁ ଲୋକ ନିଜକୁ ଜୀବାଣୁମୁକ୍ତ କରିପାରିବେ। ବିନା ବିଦ୍ୟୁତ୍‌ରେ ଏହା ପରିଚାଳିତ ହୋଇପାରିବ। ଏଥିରେ ୫ଶହ ଲିଟର କ୍ଷମତା ବିଶିଷ୍ଟ ଏକ ଟ୍ୟାଙ୍କର ସୁବିଧା ରହିଛି। ଏହାକୁ  ପ୍ରତିଷ୍ଠାନର ୱେଲଡର ଏବଂ ଫିଟର ଟ୍ରେଡର ପ୍ରଶିକ୍ଷକମାନେ ପ୍ରସ୍ତୁତ କରିଛନ୍ତି। ପ୍ରସ୍ତୁତିରେ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଆଇଟିଆଇ ଅଧ୍ୟକ୍ଷ ଡ. ହୃଷିକେଶ ମହାନ୍ତି କହିଛନ୍ତି।