ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଧୋବାଡି ପାଟପୁର ଗ୍ରାମରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ (୬୦)। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଧୋବାଡି ପାଟପୁର ଗ୍ରାମର ମୂରଲି ପ୍ରଧାନ ହିଞ୍ଜଳି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ହତ୍ୟାକାଣ୍ଡ ଘଟିଥିବା ସ୍ଥାନଟି ପୁରୁଷୋତ୍ତମପୁର ଥାନା ଅଞ୍ଚଳର ହୋଇଥିବାରୁ ହିଞ୍ଜିଳି ପୋଲିସ ପୁରୁଷୋତ୍ତମପୁର ଥାନାକୁ ଜଣାଇଥିଲା। ପୁରୁଷୋତ୍ତମପୁର ଏସ୍‌ଡିପିଓ ନିମାଇଁ ଚରଣ ସେଠୀ ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛନ୍ତି। ଅଭିଯୁକ୍ତ ମୂରଲିଙ୍କୁ ହିଞ୍ଜଳି ଥାନାରୁ ପୁରୁଷୋତ୍ତମପୁର ଥାନାକୁ ଆଣି ତଦନ୍ତ ଚଳାଇଛନ୍ତି। ଏନେଇ ନଂ.୧୪୨/୧୯ରେ ହତ୍ୟା ମାମଲା ରୁଜୁ ହୋଇଛି।
ଏସ୍‌ଡିପିଓ ସେଠୀଙ୍କ ସୂଚନା ପ୍ରକାରେ, ମୂରଲି ଓ କୃଷ୍ଣଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି କୌଣସି କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା। କୃଷ୍ଣଙ୍କୁ ହତ୍ୟା କରିବାକୁ ମୂରଲି ସୁଯୋଗ ଖୋଜୁଥିଲେ। ମଙ୍ଗଳବାର ସକାଳେ କୃଷ୍ଣ ଗ୍ରାମଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ନିଜ ବିଲକୁ ଧାନ ବିହନ ବୁଣିବାକୁ ଯାଇଥିଲେ। ସୁଯୋଗ ଅପେକ୍ଷାରେ ଥିବା ମୂରଲି ସୋରିନାଳ ନିକଟସ୍ଥ ଏକ ଅମରିଲଟା ବୁଦା ମଧ୍ୟରେ ଖଣ୍ଡା ଧରି ଛକି ରହିଥିଲା। କୃଷ୍ଣ ବିହନ ବୁଣିସାରି ସେହିବାଟ ଦେଇ ଫେରିବାବେଳେ ବୁଦାରୁ ବାହାରି ମୂରଲି ଅତର୍କିତ ଖଣ୍ଡାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ କୃଷ୍ଣଙ୍କର ମୃତ୍ୟୁ ହୋଇଯାଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ୫ କିମି ଦୂର ହିଞ୍ଜିଳିକାଟୁ ଥାନାକୁ ଯାଇ ମୂରଲି ଆତ୍ମସମର୍ପଣ କରିଥିଲେ। ଘଟଣାର ଅଧିକ ତଦନ୍ତ ଚାଲିଛି, ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଏସ୍‌ଡିପିଓ ସେଠୀ କହିଛନ୍ତି।
ପ୍ରକାଶ ଯେ, ପ୍ରାୟ ୮ବର୍ଷ ତଳେ ମୂରଲିଙ୍କ ବିବାହିତ ଝିଅଙ୍କର ମୃତ୍ୟୁ ହୋଇଥିଲା। କୃଷ୍ଣ ଗୁଣିଗାରେଡି କରି ଝିଅକୁ ମାରିଦେଇଥିବା ମୂରଲି ସନ୍ଦେହ କରି ଏକ ଖଣ୍ଡା ତିଆରି କରି ମାରିବାକୁ ଯୋଜନା କରିଥିଲେ। କୃଷ୍ଣ ଏହା ଜାଣିପାରି ଗଁା ଛାଡି ବାହାରକୁ ଚାଲିଯାଇଥିଲେ। କିଛିଦିନ ତଳେ କୃଷ୍ଣ ଗ୍ରାମକୁ ଫେରିଥିଲେ। ଗ୍ରାମକୁ ଫେରିବାର କିଛିଦିନ ପରେ ପୁଣି ମୂରଲିଙ୍କ ସ୍ତ୍ରୀ ଦେହ ଖରାପ ହୋଇଥିଲା। କୃଷ୍ଣ ଗୁଣିଗାରେଡି କରୁଥିବା ସନ୍ଦେହ କରି ମୂରଲି ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଜଣାପଡିଛି।