Categories: ଗଞ୍ଜାମ

ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ, ଯୁବକ ମୃତ

ଶେରଗଡ଼,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ବାଦଗଡ଼ ଗ୍ରାମ ଶିବ ମନ୍ଦିର ରାସ୍ତାରେ ବୁଧବାର ଖଣ୍ଡା ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ବାବୁ ପ୍ରଧାନ। ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ପୋଲିସ ଘଟଣା ତଦନ୍ତ ଚଳାଇଛି।
ପ୍ରକାଶ ଯେ, ବାବୁ କିଛି ଦିନ ହେଲା ଜେଲରେ ସଜ୍ଜା କାଟି ଫେରିଥିଲେ। କିନ୍ତୁ ସେ ଗ୍ରାମରେ ରହୁ ନ ଥିଲେ। କୋଠିଶାଳା ଯାତ୍ରା ଦେଖିବା ପାଇଁ ସେ ଗାଁକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ବାବୁ ଗ୍ରାମ ସ୍ଥିତ ଶିବ ମନ୍ଦିର ରାସ୍ତାରେ ଯାଉଥିବା ବେଳେ ଦୁର୍ବତ୍ତମାନେ ସଂଘବଦ୍ଧ ଭାବେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଶେରଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାରୁ ଏହି ହତ୍ୟା କାଣ୍ଡ ଘଟିଥାଇପାରେ ବୋଲି ଧରାକୋଟ ଥାନାଧିକାରୀ ସନ୍ତୋଷ କୁମାର ବେହେରା କହିଛନ୍ତି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।