ଖଣି ଶ୍ରମିକଙ୍କ ମିଶ୍ରଣ ପର୍ବ

କାଳିଆପାଣି,୧୯ା୧୦(ଡି.ଏନ୍‌.ଏ.): ଯାଜଯୁର ଜିଲା ସୁକିନ୍ଦା ବ୍ଲକ କଣସ ପଞ୍ଚାୟତ ତୈଳଙ୍ଗୀ ଗ୍ରାମରେ ଶୁକ୍ରବାର ଖଣି ଶ୍ରମିକଙ୍କ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୁକିନ୍ଦା ରିଜିୟନ କ୍ରୋମାଇଟ୍‌ ମଜଦୁର ସଂଘ (ଏସ୍‌ଆରସିକେଏମ୍‌ଏସ୍‌ର)ତୈଳଙ୍ଗୀ ଶାଖା ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀରଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଦ୍ୱାରା ପରିଚାଳିତ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ସହିତ ଶତାଧିକ ଆଇଡିସି ଲୋଡିଂ ଶ୍ରମିକ ସାମିଲ ହୋଇଥିବା ଜଣାପଡିଛି। ଏହି ଅବସରରେ ଲୋଡିଂ ଶ୍ରମିକମାନଙ୍କର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରାଯିବା ସହ ବନ୍ଦ ଖଣିକୁ ତୁରନ୍ତ ଖୋଲିବା ପାଇଁ ସରକାରୀସ୍ତରରେ ଉଦ୍ୟମ ଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଖଣି ଖୋଲାଯିବାର ପ୍ରଚେଷ୍ଟା ଚାଲିଛି ବୋଲି ସାଧାରଣ ସମ୍ପାଦକ ଧୀର କହିଥିଲେ। ତୈଳଙ୍ଗୀ ଖଣିର ଲୋଡିଂ ଶ୍ରମିକମାନଙ୍କୁ ଖଣି ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହେଲେ ନିୟମିତ କାର୍ଯ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମିଶ୍ରର ପର୍ବରେ ଜିଲା ବିଜେଡି ଉପସଭାପତି ପବିତ୍ର ମୋହନ ମହାପାତ୍ର, ଯୁବ ଜନତା ଉପସଭାପତି ନରୋତ୍ତମ ବେହେରା, ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ପରିବହନ ଠିକାଦାର ଅମଳେନ୍ଦୁ ବେହୁରା, ସରପଞ୍ଚ ଦ୍ୱାରିକାନାଥ ଦାସ, ପଞ୍ଚାନନ ଜେନା, ସୁରେଶ ମହାନ୍ତ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଲୋଡିଂ ଶ୍ରମିକମାନଙ୍କ ପକ୍ଷରୁ ନାରାୟଣ ଜେନା, ପ୍ରଫୁଲ୍ଲ ମହାନ୍ତ, ବୈକୁଷ୍ଠ ପାତ୍ର, ଚିତ୍ତ ଦେହୁରୀ ପ୍ରମୁଖ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।