ଖଣି କମ୍ପାନୀ ସମ୍ମୁଖରେ ଧାରଣାରତ ଲୋକଙ୍କୁ ଆକ୍ରମଣ ଉତ୍ତେଜନା, ଥାନାରେ ଏତଲା

ଯୋଡ଼ା, ୬।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଖଣିରେ ଗୁରୁବାର ଧାରଣାରତ ଲୋକଙ୍କୁ କେତେଜଣ ବ୍ୟକ୍ତି ଆକ୍ରମଣ କରିଛନ୍ତି ା ଏଥି ସହିତ ସେମାନେ ଧାରଣା ସ୍ଥଳରେ ଲାଗିଥିବା ଟେଣ୍ଟକୁ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ା
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମାରାଙ୍ଗବୁରୁ ଡେଭଲପମେଣ୍ଟ କମିଟି ପକ୍ଷରୁ ପରିବହନ କାର୍ଯ୍ୟ ପ୍ରଦାନ ଦାବି କରି ଲିଖିତ ଭାବେ କମ୍ପାନୀ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନକୁ ଅବଗତ କରାଯାଇ ବୁଧବାର କମ୍ପାନୀର ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ହେଲେ ଧାରଣାକାରୀଙ୍କୁ ଘଉଡାଇବା ପାଇଁ ନିକଟବର୍ତ୍ତୀ ଗ୍ରାମର ଅନ୍ୟ ଏକ ଗୋଷ୍ଠୀର ମହିଳା ପୁରୁଷମାନେ ଠେଙ୍ଗାବାଡି ଧରି ଆସିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ବୁଧବାର ରାତି ପ୍ରାୟ ୮ଟାରେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ, ବାମେବାରୀ ଥାନା ଓଆଇସି ପରେଶ କୁମାର ମହାନ୍ତି ପ୍ରମୁଖ ମାରାଙ୍ଗବୁରୁ ଡେଭେଲପମେଣ୍ଟ କମିଟିର ନେତୃତ୍ୱ ନେଉଥିବା ସଞ୍ଜୟ ବାରିକ ଓ କେତେଜଣ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ଆନ୍ଦୋଳନକାରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ା ଏହି ନିର୍ଦ୍ଦେଶ ଅନୁଯାୟୀ ମାରାଙ୍ଗବୁରୁ ଡେଭେଲପମେଣ୍ଟ କମିଟି ପକ୍ଷରୁ ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ପାଇଁ ଗୁରୁବାର ସକାଳେ ଏକ ଟେଣ୍ଟ ବନ୍ଧା ଯାଉଥିବା ବେଳେ ନିକଟବର୍ତ୍ତୀ ଗ୍ରାମର ଅନ୍ୟ ଗୋଷ୍ଠୀର ଶତାଧିକ ମହିଳା ପୁରୁଷ ଆସି କେତେଜଣ ଧାରଣାକାରୀଙ୍କୁ ଆକ୍ରମଣ କରି ଘଉଡାଇ ଦେଇଥିଲେ ା ସେମାନେ ଟେଣ୍ଟକୁ ଭଙ୍ଗାରୁଜା କରି ମୁଖ୍ୟ ଫାଟକ ସମ୍ମୁଖରେ ଜଗି ରହିଥିଲେ। ଅପରାହ୍ନରେ ଜଣେ ଖବରଦାତା ଭିଡିଓ ରେକଡିଂ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା କେତେକ ଖଣି କମ୍ପାନୀ ସମର୍ଥକ ତାଙ୍କୁ ମାରପିଟ୍‌ କରିବା ସହ ତାଙ୍କ ମୋବାଇଲ୍‌ ଛଡାଇ ନେଇଥିଲେ। ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ା ଶେଷରେ ପୋଲିସ ସେହି ଲୋକଙ୍କୁ ସେଠାରୁ ହଟାଇ ଦେଇଥିଲା ା ଘଟଣାସ୍ଥଳରେ ବଡବିଲ୍‌ ଏସ୍‌ଡିପିଓ ସତ୍ୟ ବିକାଶ ଭୂୟାଁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏନେଇ ଧରିତ୍ରୀରେ ତା ୫ା୧୨ା୨୦୧୯ ରିଖରେ ‘ଖଣିରେ ନିଯୁକ୍ତି ଓ ପରିବହନ ବିବାଦ, ଦୁଇ ଗୋଷ୍ଠୀ ମୁହଁମୁହିଁ, ଉତ୍ତେଜନା’ ଶୀର୍ଷକରେ ଏକ ଖବର ପ୍ରକାଶିତ ହୋଇଥିଲା ା