ଖଣିବନ୍ଦ ଆନ୍ଦୋଳନ ଜାରି: ୬ ଦିନ ହେଲା ଉତ୍ତୋଳନ, ପରିବହନ ଠପ୍‌

ତାଳଚେର,୩୧ା୭(ନି.ପ୍ର.)-୫ ଦଫା ଦାବି ନେଇ ଭାଜପା ପକ୍ଷରୁ ତାଳଚେର କୋଲ୍‌ ଫିଲଡସରେ ଖଣି ବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ୬ ଦିନ ଧରି ଏମ୍‌ସିଏଲ୍‌ର ଏଠାରେ ଥିବା ହିଙ୍ଗୁଳା, ବଳରାମ, ଜଗନ୍ନାଥ, ଲିଙ୍ଗରାଜ, ଭୁବନେଶ୍ୱରୀ, ଭରତପୁର, ଅନନ୍ତ କୋଇଲା ଖଣି ଓ କଣିହଁା ସମେତ ୧୦ ଗୋଟି ଖଣିରୁ କୋଇଲା ଉତ୍ତୋଳନ ସହ ପରିବହନ ଠପ୍‌ ହୋଇଯାଇଛି। ନାଲ୍‌କୋ, ଏନ୍‌ଟିପିସି, ଟିଟିପିଏସ୍‌ ସହ ରାଜ୍ୟ ବାହାରକୁ କୋଇଲା ଯୋଗାଣ ମଧ୍ୟ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।
ଭରତପୁର କୋଇଲା ଖଣିରେ ମାଟି ଅତଡା ଧସିବା ପରେ ଜୁଲାଇ ୨୫ ଠାରୁ ଭାଜପା ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ, ପରିବାରର ଜଣଙ୍କୁ ନିଯୁକ୍ତି, ଠିକାସଂସ୍ଥା ଓ ଏମ୍‌ସିଏଲ୍‌ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ, ତାଳଚେର କୋଲ୍‌ ଫିଲଡସରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଦାବି ରହିଛି। ଭାଜପା ସାଧାରଣ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ସଦସ୍ୟମାନେ ଏହି ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀ ସକାଳ ଠାରୁ ବିଭିନ୍ନ କୋଇଲା ଖଣିର ଜେନେରାଲ ମ୍ୟାନେଜରଙ୍କ ଅଫିସ, ପ୍ରକଳ୍ପ ଅଧିକାରୀଙ୍କ ଅଫିସ, ଟାଇମ୍‌ ଅଫିସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖଣି କାର୍ଯ୍ୟକୁ ବନ୍ଦ କରାଉଛନ୍ତି। ସୂଚନାଯୋଗ୍ୟ ଯେ, ତାଳଚେର କୋଲ୍‌ ଫିଲଡସରୁ ଦୈନିକ ୨ଲକ୍ଷ ୧୦ ହଜାର ଟନ କୋଇଲା ଉତ୍ତୋଳନ ହୋଇଥାଏ। ସେହିପରି ଦୈନିକ ୫୦ରୁ ଊର୍ଦ୍ଧ୍ୱ ର଼୍ୟାକ୍‌ ଯୋଗେ କୋଇଲା ରାଜ୍ୟ ଓ ରାଜ୍ୟ ବହାରକୁ ପଠାଯାଇଥାଏ।