କ୍ୱାରାଣ୍ଟାଇନ ବ୍ୟବସ୍ଥାରେ ଅବହେଳା: ପ୍ରତିବାଦରେ ଡାକ୍ତରଙ୍କ ସହ ଏମ୍‌କେସିଜି ଛାତ୍ରୀଛାତ୍ରଙ୍କ ଧାରଣା

ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁର ଉପକଣ୍ଠ ଶୀତଳାପଲିରେ ଥିବା ଟାଟା କୋଭିଡ-୧୯ ହସ୍ପିଟାଲରେ କାମସାରି ଫେରୁଥିବା ଡାକ୍ତରଙ୍କୁ କ୍ୱାରାଣ୍ଟାଇନରେ ରଖିବାନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଶୁକ୍ରବାର ଶିତଳାପଲ୍ଲି ଟାଟା କୋଭିଡ ହସ୍ପିଟାଲରୁ କାମସାରି ୬ ଡାକ୍ତର ଫେରିଥିଲେ। ପ୍ରଶାସନ ପକ୍ଷରୁ ହୋଟେଲରେ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରହିବାକୁ ସେମାନଙ୍କୁ ଅନୁମତି ମିଳି ନ ଥିଲା। ଫଳରେ ଡାକ୍ତରଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖିବା ନେଇ ଖାଦ୍ୟ ପାନୀୟ ସହ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇଦେବା ଦାବିରେ ଉକ୍ତ ଡାକ୍ତରମାନେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ଉକ୍ତ ଡାକ୍ତରଙ୍କୁ ସମର୍ଥନ ଜଣାଇ ଏମ୍‌କେସିଜି ମେଡିକାଲ କଲେଜର ଛାତ୍ରୀଛାତ୍ର ଧାରଣା ଦେଇଥିଲେ। କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ ଥିବା ଡାକ୍ତରଙ୍କୁ ୧୪ ଦିନ କ୍ୱାରାଣ୍ଟଇନରେ ରଖିବା ନେଇ ତୁରନ୍ତ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଥିଲେ। କୋଭିଡ-୧୯ ହସ୍ପିଟାଲର ନୋଡାଲ ଅଫିସର ଡା. ଉମାଶଙ୍କର ମିଶ୍ର ଆନ୍ଦୋଳନ ସ୍ଥଳକୁ ଯାଇ ଧାରଣାରତ ଡାକ୍ତର ଓ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ । ପରେ ଖବର ପାଇ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉସାହେବ, ବ୍ରହ୍ମପୁର ଏସ୍‌ପି ପିନକ ମିଶ୍ର ପ୍ରମୁଖ ପହଞ୍ଚି ଡାକ୍ତରଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ବାଲାଜି ହୋଟେଲ ଓ ନନ୍ଦନ ହୋଟେଲରେ ରଖାଯିବାକୁ ପ୍ରତଶ୍ରୁତି ଦେବାପରେ ଛାତ୍ରୀଛାତ୍ର ଓ ଡାକ୍ତରମାନେ ଆନ୍ଦୋଳନରୁ ହଟିଥିଲେ ।