କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କ ଆତ୍ମହତ୍ୟା, ୬ ଦିନ ତଳେ ବିଜୟଓ୍ବାଡାରୁ ଫେରିଥିଲେ

ବେତନଟୀ,୧୫।୫(ଡି.ଏନ୍‌. ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତର ଡମ୍ବରୁଡହର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ମହୁଲଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ସକାଳେ ଦେଖିବାକୁ ମିଳିଛିଛି l ମୃତକ ହେଲେ ରାଇକମା ଗ୍ରାମର ସୁରେନ୍ଦ୍ର ବେହେରା(୪୦)। ସେ ନିଜ ପିନ୍ଧା ଲୁଙ୍ଗି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସୁରେନ୍ଦ୍ର ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ସେଠାରୁ ଫେରି ପ୍ରାୟ ୬ଦିନ ହେବ ଡମ୍ବରୁଡହର ପ୍ରାଥମିକ ବିଦ୍ୟାଳୟ (ସଙ୍ଗରୋଧ କେନ୍ଦ୍ର)ରେ ରହି ଆସୁଥିଲେ। ତେବେ ଶୁକ୍ରବାର ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ଲଳିତ ପଟ୍ଟନାୟକ, ବେତନଟୀ ବିଡ଼ିଓ ସ୍ମୃତିରଞ୍ଜନ ମଲ୍ଲିକ, ବେତନଟୀ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ସେମାନେ କହିଛନ୍ତି। ତେବେ ଘଟଣା ନେଇ ଜଣାପଡ଼ିବା ପରେ ଅଞ୍ଚଳବାସୀ କାରାଣ୍ଟାଇନ ସେଣ୍ଟରରେ ରାତିରେ ଡ୍ୟୁଟି କରିଥିବା କର୍ମଚାରୀ ଓ ଉଚ୍ଚ ଅଧିକାରୀଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି l ଆତ୍ମହତ୍ୟା କରିବା ସମୟରେ କିଭଳି ସେମାନେ ଜାଣିପାରିଲେ ନାହିଁ ନାହିଁ ତାହା ଚକିତ କରିଥିବା ସେମାନେ କହିଛନ୍ତି।