କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ସୁରକ୍ଷାକୁ ନେଇ ବିଡ଼ିଓଙ୍କୁ ଭେଟିଲେ ଶିକ୍ଷକ ସଂଘ କର୍ମକର୍ତ୍ତା

ଶେରଗଡ଼,୨୬।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ମଙ୍ଗଳବାର ଏକ ଦାବି ପତ୍ର ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବିଇଓ ଭାସ୍କର ଲେଙ୍କାଙ୍କୁ ଭେଟି ପ୍ରଦାନ କରିଛନ୍ତି। କରୋନା ମୁକାବିଲାରେ ଶିକ୍ଷକମାନେ ନିଜ ଜୀବନକୁ ପାଣି ଛଡାଇ କାମ କରୁଛନ୍ତି। ଏଦିଗରେ ସରକାର ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉ ନାହାନ୍ତି। ସରକାର କରିଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଗୁଡିକରେ ଉପଯୁକ୍ତ ବିଶୋଧନ କରାଯାଉନାହିଁ। ପ୍ରବାସୀମାନେ ରହି ଫେରିଲା ପରେ ବି ପ୍ରଶାସନ ପକ୍ଷରୁ ବିଶୋଧନ ନ କରି ପୁଣି ଆଉ କିଛି ପ୍ରବାସୀଙ୍କୁ ଆଣି ରଖାଯାଉଛି। ଯେଉଁ ଶିକ୍ଷକଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ପରିଚାଳନା କାର୍ଯ୍ୟ ପଡିଥିଲା ପରେ ପୁଣି ଦ୍ୱିତୀୟଥର ସେହି କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଛି। ଏଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଉଚିତ ପଦକ୍ଷେପ ନେବାକୁ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି।