କ୍ୟାବିନେଟ ନିଷ୍ପତ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ

ଭୁବନେଶ୍ୱର,୧୭ା୬(ବ୍ୟୁରୋ)-ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ସଂକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରେ ଚାଇନା ସହ ସଂଘର୍ଷରେ ପ୍ରାଣବଳୀ ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶହୀଦଙ୍କ ସ୍ମୃତିରେ ବୈଠକରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଆଇନ ବିଭାଗ ପକ୍ଷରୁ ରଥଯାତ୍ରା ବନ୍ଦ କରିବା ନେଇ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ବୈଠକରେ ଯୋଗ ଦେଇ ରାଜ୍ୟ ଆଡଭୋକେଟ ଜେନେରାଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ କ୍ୟାବିନେଟକୁ ଅବଗତ କରାଇଥିଲେ। ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଚ୍ଚତମ ନ୍ୟୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ହେବ । ଏଥି ସହିତ ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲାର ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ୨୦୨୦ ମେ ୩୦ ତାରିଖ ଏବଂ ରାଜ୍ୟ ସରକାରଙ୍କ ୨୦୨୦ ଜୁନ୍‌ ୧ ତାରିଖରେ କୋଭିଡ୍‌-୧୯ ପରିଚାଳନା ପାଇଁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ କଡାକଡି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।