Categories: ମେଟ୍ରୋ

କ୍ୟାପିଟାଲ ହସ୍ପିଟାଲ ପରିସରରେ ଜମୁଛି ଅଟୋ ଡ୍ରାଇଭରଙ୍କ ଆଡ୍ଡା : ବଢୁଛି ନାନା ସମସ୍ୟା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ପରିସରରେ ଆଡ୍ଡା ଜମାଉଥିବା ଅଟୋ ଓ ଏହାର ଚାଳକଙ୍କୁ ହଟାଇବା ଉଦ୍ୟମ ବିଫଳ ହୋଇଛି। ନାନା ସମସ୍ୟା ସୃଷ୍ଟି ହେବାରୁ ଶେଷରେ ଅଟୋ ଚାଳଚଳ ଓ ପାର୍କିଂ ଉପରେ ପୂରା ଅଙ୍କୁଶ ଲଗାଯାଇଛି। ହେଲେ ଗୁରୁବାର ଏହାକୁ ନେଇ ପୋଲିସ ଓ ଅଟୋ ଚାଳକ ମୁହାଁମୁହିଁ ହେବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ ଅଟୋଗୁଡିକ ହଟିବା ପରେ ପୁଣି ହସ୍ପିଟାଲ ପରିସରରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିତ୍ଥଲା।
ମିଳିଥିବା ସୂଚନାନୁସାରେ, କ୍ୟାପିଟାଲ ହସ୍ପିଟାଲ ପରିସରରେ ଅଟୋ ଚଳାଚଳ ଯୋଗୁ ସମସ୍ୟା ବଢ଼ୁଛି। ଚାଳକମାନେ ମନଇଚ୍ଛା କାଜୁଆଲିଟି, ପ୍ରସୂତି ବିଭାଗ ଓ ଅନ୍ୟ କେତେକ ସ୍ଥାନରେ ବେଆଇନ ଭାବେ ଅଟୋ ପାର୍କିଂ କରୁଛନ୍ତି। ହସ୍ପିଟାଲ ରାସ୍ତାରେ ବେପରୁଆ ଭାବେ ଗାଡ଼ି ଚଲାଇ ଦୁର୍ଘଟଣା ଘଟୁଛି। ସେହିଭଳି ଘରୋଇ ଆମ୍ବୁଲାନ୍ସ ମଧ୍ୟ ମନଇଚ୍ଛା ଜାଗା ମାଡ଼ି ରହୁଛି। ଏହାଦ୍ୱାରା ଆମ୍ବୁଲାନ୍ସ ଓ ରୋଗୀଙ୍କୁ ନେବାଆଣିବାରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ଏନେଇ ଅଭିଯୋଗ ହେବା ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ହସ୍ପିଟାଲ ପରିସରରୁ ଅଟୋ ହଟାଇବା ପାଇଁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଚିଠି ଲେଖିଥିଲେ। ଏହାସହ ସେ ଡିସିପି ଅନୁପ କୁମାର ସାହୁଙ୍କୁ ଭେଟି ସମସ୍ୟା ନେଇ ଆଲୋଚନା କରିଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୩୦ରେ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଚକ୍ରବର୍ତ୍ତୀ ହସ୍ପିଟାଲକୁ ଯାଇ ପାର୍କିଂ କରିଥିବା ଅଟୋ ଚାଳକଙ୍କୁ ତୁରନ୍ତ ଗାଡ଼ି ବାହାରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଟୋ ଚାଳକମାନେ ଏକାଠି ହୋଇ ଏହାକୁ ବିରୋଧ କରିବା ସହ ଥାନା ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଫଳରେ ସେଠାରେ ଏକପ୍ରକାର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ସମସ୍ତ ଅଟୋ ହସ୍ପିଟାଲ ପରିସରରୁ ହଟିଥିଲା। ଥାନା ଅଧିକାରୀ ସେଠାରେ ଏକ ଘଣ୍ଟା ରହି ଚାଲିଯିବା ପରେ ସେଠାରେ ପୁଣି ପୂର୍ବଭଳି ଅଟୋ ପାର୍କିଂ କରାଯାଇଥିଲା। ଏନେଇ ଫାଣ୍ଡି ପୋଲିସ ଜାଣିବା ପରେ ସେଠାରେ ପୋଲିସ ମୁତୟନ କରି ଜଗାଇଥିଲେ। କିନ୍ତୁ ପୋଲିସକୁ ଖାତିର ନ କରି ଅଟୋ ଚାଳକମାନେ ସେଠାରେ ଗାଡ଼ି ରଖିଥିଲେ। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ କହିଛନ୍ତି, କାଜୁଆଲଟି ଆଗରେ ଅଟୋ ପାର୍କିଂ ହେଉଥିବାରୁ ଆମ୍ବୁଲାନ୍ସ ଯିବାଆସିବା ସହ ଅନ୍ୟ ସମସ୍ୟା ହେଉଛି। ଅଟୋ ଚାଳକଙ୍କୁ ହଟାଇବା ଜରୁରୀ ହୋଇପଡିଛି।