କ୍ଷମତା ଚୌକିରେ ଗ୍ରୀନ୍‌ହର୍ନ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ମହାରାଷ୍ଟ୍ରରେ ‘ମରାଠୀ ମାନୁଷ୍‌’ କଥା ଉଠିଲେ ସମସ୍ତଙ୍କ ନଜର ପଡ଼େ ‘ମାତୋଶ୍ରୀ’ ଉପରେ। ମାତୋଶ୍ରୀ ଠାକ୍‌ରେ ପରିବାରର ଆଦ୍ୟପୀଠ, ଯେଉଁଠାରେ ଶିବସେନାର ସାଂଗଠନିକ ଆଦର୍ଶକୁ ଗୁନ୍ଥା ହୋଇ ରଖାଯାଇଆସିଛି। ଜନ୍ମମାଟିକୁ ଅତି ଭଲ ପାଇ ଦେଶଭକ୍ତିର ପରିଚୟ ସୃଷ୍ଟି କରିଥିବା ଶିବସେନାର ମାଉଥ୍‌ପିସ୍‌ ବା ମୁଖପତ୍ର ‘ସାମ୍‌ନା’ ମରାଠୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଆଲୋଚନା ହୁଏ। ଏହିସବୁ ଚିନ୍ତାଧାରା ପଛରେ ଯେଉଁ ବ୍ୟକ୍ତିଙ୍କ ମଗଜ ଖଟୁଥିଲା, ସେ ଥିଲେ ବାଲାସାହେବ ଠାକ୍‌ରେ। ମହାରାଷ୍ଟ୍ର ସମେତ ଜାତୀୟ ରାଜନୀତିରେ ଯେତେବେଳେ କୌଣସି ଜଟିଳ ସମସ୍ୟା ଉପୁଜୁଥିଲା, ତାହାର ସମାଧାନ ପାଇଁ ସମାଜର ସବୁବର୍ଗ ଧାଉଁଥିଲେ ବାଲ୍‌ ଠାକ୍‌ରେଙ୍କ ପାଖକୁ। ସେ ଥିଲେ ସଂଗଠକ। ନିର୍ବାଚନ ଲଢ଼ି ନେତା ହେବାର ସବୁ ସୁଯୋଗ ଥିଲେ ମଧ୍ୟ ସେ ମରାଠୀଙ୍କ ମୁରବି ଭାବେ ରହିବାକୁ ପସନ୍ଦ କରୁଥିଲେ। କେବଳ ନିଜ ରାଜ୍ୟ ମଧ୍ୟରେ ତାଙ୍କ ବ୍ୟକ୍ତିତ୍ୱର ଚର୍ଚ୍ଚା ସୀମିତ ନ ଥିଲା। ଜାତୀୟ ସ୍ତରର ନେତାମାନେ ମଧ୍ୟ ତାଙ୍କୁ ସମ୍ମାନ ଦେଉଥିଲେ। ସେହି ପରିବାରରୁ କେହି ପ୍ରତ୍ୟକ୍ଷ ରାଜନୀତିକୁ ଆସନ୍ତୁ ବୋଲି ସେ ଚାହୁଁ ନ ଥିଲେ। ୨୦୧୨ରେ ତାଙ୍କ ଦେହାନ୍ତ ପରେ ଶିବସେନାର ଦାୟିତ୍ୱ ତାଙ୍କ ପୁଅ ଉଦ୍ଧବ ନେଇଥିଲେ। କୁହାଯାଏ ବାଲ୍‌ ଠାକ୍‌ରେଙ୍କ ଗୁଣ ତାଙ୍କ ପୁତୁରା ରାଜ୍‌ ଠାକ୍‌ରେଙ୍କଠାରେ ଅଧିକ ଦେଖାଯାଉଥିବାରୁ ସେ ତାଙ୍କୁ ଉତ୍ତରାଧିକାରୀ କରିବାକୁ ଚାହୁଁଥିଲେ। ସମୟ ଚକ୍ର ବଦଳିଗଲା। ଉଦ୍ଧବ ଓ ରାଜ୍‌ଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଯୋଗୁ ଉଭୟେ ଭିନ୍ନେ ହୋଇଗଲେ। ଶିବସେନାରୁ ଅଲଗା ହୋଇ ରାଜ୍‌ ଗଢ଼ିଲେ ‘ମହାରାଷ୍ଟ୍ର ନବନିର୍ମାଣ ସେନା’ ଓ ଉଦ୍ଧବ ପିତାଙ୍କ ଉତ୍ତରାଧିକାରୀ ହୋଇଗଲେ। ଶିବସେନାର ନେତୃତ୍ୱ ନେଇଥିଲେ ମଧ୍ୟ ଉଦ୍ଧବ କ୍ଷମତାର ସ୍ବାଦ ଚାଖିବାକୁ ମନ ବଳାଇ ନ ଥିଲେ। ପ୍ରଥମ ଥର ଲାଗି ପୁଅ ଆତିଦ୍ୟଙ୍କୁ ନିର୍ବାଚନରେ ଲଢ଼ିବାକୁ ଦେଇଥିଲେ। ଆଦିତ୍ୟ ଓ୍ବର୍ଲି ଆସନରୁ ବିଜୟୀ ହୋଇଥିଲେ ହେଁ ଉଦ୍ଧବ ଏବେ ମୁଖ୍ୟମନ୍ତ୍ରୀ।
ରାଜନୈତିକ ବାଧ୍ୟବାଧକତା ଅପ୍ରତ୍ୟାଶିତ ଭାବେ ଉଦ୍ଧବଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଇଛି। ଅକ୍ଟୋବର ୨୦୧୯ରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲା। ଭାଜପା ସର୍ବାଧିକ ୧୦୫ ଆସନ ପାଇଥିବା ବେଳେ ତା’ର ସହଯୋଗୀ ଶିବସେନା ଖାତାକୁ ଯାଇଥିଲା ମାତ୍ର ୫୬। ଅନ୍ୟପଟେ ବିରୋଧୀ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୫୪ ଆସନ ଅକ୍ତିଆର କରିଥିବା ବେଳେ କଂଗ୍ରେସ ୪୪ ଆସନରେ ସନ୍ତୁଷ୍ଟ ହୋଇଥିଲା। ଭାଜପା ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଲା। କୌଣସି ନିଷ୍କର୍ଷ ନ ଆସିବାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେଲା। ଏହି ସନ୍ଧିକ୍ଷଣରେ ମତ ଓ ଆଦର୍ଶ ଭୁଲି ଭାଜପା-ଶିବସେନା ବିରୋଧୀ ଶିବିରରେ ଥିବା ଏନ୍‌ସିପି ଓ କଂଗ୍ରେସ ବିଧାୟକଙ୍କୁ ଗୋଟାଇବାରେ ଲାଗିଲେ। ପ୍ରଥମେ ଅଜିତ୍‌ ପାଓ୍ବାର ଏନ୍‌ସିପିର କିଛି ନେତାଙ୍କୁ ଧରି ଭାଜପାର ଦେବେନ୍ଦ୍ର ଫଡ୍‌ନବିସଙ୍କ ସହ ମିଶି ସରକାର ଗଢ଼ି ପକାଇଲେ। ହେଲେ ସଂଖ୍ୟା ଖେଳ ଅଜିତ୍‌ ଓ ଦେବେନ୍ଦ୍ରଙ୍କୁ ଅଡୁଆରେ ପକାଇଲା। ଫଳରେ ଏହାର ସୁଯୋଗ ନେଲେ ଉଦ୍ଧବ। ଏନ୍‌ସିପି ଓ କଂଗ୍ରେସ ସହଯୋଗ କରିବାରରୁ ଉଦ୍ଧବ ୨୮ ନଭେମ୍ବରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଶୁଣିବାକୁ ମିଳୁଥିଲା ପୁଅ ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଉଦ୍ଧବ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ସମ୍ଭବତଃ ଆଦିତ୍ୟଙ୍କ ସପକ୍ଷରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସବୁଜ ସଙ୍କେତ ନ ଦେବାରୁ ଉଦ୍ଧବ ସର୍ବସମ୍ମତି ପାଇଲେ।
ବମ୍ବେଠାରେ ୨୭ ଜୁଲାଇ ୧୯୬୦ରେ ଉଦ୍ଧବ ଜନ୍ମଗ୍ରହଣ କରିଥିଲେ। ୨୦୦୨ରେ ତାଙ୍କ ରାଜନୈତିକ କ୍ୟାରିୟର ବ୍ରିହାନ୍‌ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ପ୍ରଚାର ବେଳେ ଆରମ୍ଭ ହୋଇଥିଲା। ତାଙ୍କ ନେତୃତ୍ୱରେ ଦଳ ସଫଳତା ପାଇବା ପରେ ୨୦୦୩ରେ ତାଙ୍କୁ ଶିବସେନାର କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ୨୦୦୬ରେ ସେ ‘ସାମ୍‌ନା’ର ମୁଖ୍ୟ ସମ୍ପାଦକ ହୋଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ସମ୍ପାଦନାରୁ ଓହରିଯାଇଛନ୍ତି। ତେବେ ପିତା ବାଲାସାହେବଙ୍କ ଦେହାନ୍ତ ପରେ ଉଦ୍ଧବ ୨୦୧୩ରେ ଶିବସେନାର ସଭାପତି ହୋଇଥିଲେ।
ରାଜନୀତିକୁ ଛାଡ଼ିଦେଲେ ଉଦ୍ଧବଙ୍କ ସର୍ବାଧିକ ପସନ୍ଦ ଫଟୋଗ୍ରାଫିରେ ରହିଆସିଛି। ‘ମହାରାଷ୍ଟ୍ର ଦେଶା’ ଓ ‘ପାହାବ ଭିଟ୍ଟଲ’ ନାମରେ ସେ ଦୁଇଟି କଫି ଟେବଲ୍‌ ବୁକ୍‌ ପ୍ରକାଶ କରିଛନ୍ତି। ପ୍ରକୃତିପ୍ରେମୀ ହୋଇଥିବାରୁ ସେ ଚିନ୍ତାରୁ ମୁକ୍ତି ପାଇବା ସକାଶେ ଯେତେବେଳେ ଚାହାନ୍ତି, ସେତେବେଳେ ‘ଆନିମଲ୍‌ ପ୍ଲାନେଟ’ ଓ ‘ଡିସ୍‌କଭରି’ ଚ୍ୟାନେଲ ଦେଖିଥାଆନ୍ତି। ନୀରବ ରହିବାକୁ ତାଙ୍କୁ ଭଲ ଲାଗେ। କିନ୍ତୁ ସମାଲୋଚକଙ୍କୁ କ୍ଷମା ଦେବାରେ ତାଙ୍କର ମହାନୁଭବତା ନ ଥାଏ। ସେ ଯାହା ପଛରେ ପଡ଼ନ୍ତି ତାଙ୍କୁ ଠିକ୍‌ ସମୟରେ ଉଚିତ ଜବାବ ଦେଇଥାଆନ୍ତି ବୋଲି ସମୀକ୍ଷକ ମତ ଦେଇଥାଆନ୍ତି। କ୍ଷମତା ଚୌକିରେ ଉଦ୍ଧବ ଗ୍ରୀନ୍‌ହର୍ନ (ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନୂଆ)। ସହଧର୍ମିଣୀ ରଶ୍ମି ତାଙ୍କ ପରାମର୍ଶଦାତା (ଏପରି କି ରାଜନୈତିକ ଉପଦେଷ୍ଟା) ବୋଲି କୁହାଯାଏ। ଦୁଇ ପୁଅ ଆଦିତ୍ୟ ଓ ତେଜସ୍‌। ଆଦିତ୍ୟ ସକ୍ରିୟ ରାଜନୀତିରେ ଥିବା ବେଳେ ତେଜସ୍‌ ଏବେ ନ୍ୟୁୟର୍କରେ ପଢ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri