କ୍ଷତିପୂରଣ ଦାବିରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୩୦-୧୦(ଡି.ଏନ୍‌.ଏ.)- ଗତ ସପ୍ତାହରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁ ବଡ଼ଚଣା ବ୍ଲକର ବହୁ ଅଞ୍ଚଳରେ ବ୍ୟାପକ ଫସଲ ହାନୀ ହୋଇଛି। ପ୍ରଶାସନ ପକ୍ଷରୁ ଅଦ୍ୟାବଧି କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ବହୁ ଅଞ୍ଚଳରେ ପାଣି ନିଷ୍କାସନ ହୋଇ ନ ପାରି ଶାରଦ ଧାନ, ରବିଫସଲ ଓ ପନିପରିବା ବୁଡ଼ି ରହିଛି। ଥୋଡ଼ ହେଉଥିତ୍ବା ଧାନ କିଆରିରେ ପାଣି ଜମି ରହିବା ଫଳରେ ଧାନ ଫସଲ ପଚି ଯାଇଛି। କ୍ଷୟକ୍ଷତିର ଆକଳନ ସହ ସରକାରଙ୍କଠାରୁ ସହାୟତା ଆଶାକରି ମଙ୍ଗଳବାର ଅଣକା, ମାଣ୍ଡୁକା, କୁନ୍ଦଳ ଓ ଅରଖପୁର ପଞ୍ଚାୟତର ଚାଷୀମାନେ ଚଣ୍ଡିଖୋଲ-ପାରାଦୀପ ୫ନଂ (କ) ଜାତୀୟ ରାଜପଥକୁ ଭାକୁଡ଼ ଛକଠାରେ ଦୀର୍ଘ ୨ଘଣ୍ଟା ଧରି ଅବରୋଧ କରିଥିଲେ। ଚାଷୀମାନେ ଫସଲ ହାନୀର କ୍ଷୟକ୍ଷତି ଆକଳନ, ରବିଫସଲ ଉଠିଆ ପାଇଁ ମାଗଣାରେ ବିରି ବିହନ ଯୋଗାଣ, ନଷ୍ଟ ହୋଇଥିବା ଚାଷର କ୍ଷତିପୂରଣ ପ୍ରଦାନ, କୃଷିଋଣ ଛାଡ଼ ଓ ନୂତନ ଋଣ ପ୍ରଦାନ ଦାବି କରି ଏହି ରାସ୍ତାରୋକୋ କରିଥିଲେ। ୨ଘଣ୍ଟା ଧରି ରାସ୍ତାରୋକୋ ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଚାଷୀଙ୍କ ଠାରୁ ଦାବୀପତ୍ର ଗ୍ରହଣ କରି ବୁଝାଶୁଝା କରିବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକୋରୁ ଦିନ ପ୍ରାୟ ସାଢେ ବାରଟାବେଳେ ଉଠି ଯାଇଥିଲେ।