କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି: ୫ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦିଅ

ଭଦ୍ରକ ଅଫିସ,୧୧।୧୧- ବାତ୍ୟା ବୁଲ୍‌ବୁଲ୍‌ ଶନିବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମବଙ୍ଗ ନିକଟସ୍ଥ ସାଗରଦ୍ୱୀପରେ ସ୍ଥଳଭାଗ ଛୁଇଁଛି। ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଓ ବାସୁଦେବପୁରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ରବିବାର ଭଦ୍ରକ ଗସ୍ତରେ ଆସି ଚାନ୍ଦବାଲିର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲିବା ସହ ସମସ୍ତ କ୍ଷୟକ୍ଷତିର ସମୀକ୍ଷା କରି ଫେରିଛନ୍ତି। ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଅଧିକ କ୍ଷୟକ୍ଷତି ଘଟିଥିବା ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀ ଓ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସହ ଆଲୋଚନା ବେଳେ ସୂଚନା ଦିଆଯାଇଥିଲା। ସେଠାରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟକୁ ସେ ତର୍ଜମା କରିଥିଲେ। ଚାନ୍ଦବାଲିରୁ ତିହିଡ଼ି ଆସିବା ରାସ୍ତାରେ କ୍ଷତିଗ୍ରସ୍ତ ଚାଷଜମି ଓ ଗଁା ବୁଲି ଦେଖିଥିଲେ। ଶେଷରେ ଅପରାହ୍ନରେ ଭଦ୍ରକ ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ଆର୍‌ଡିସି ଆଲୋଚନା କରି କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଆଗାମୀ ୫ ଦିନ ମଧ୍ୟରେ ଚାଷଜମି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ସେ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ବ ଓ କୃଷି ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ଆକଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଓ ହିତାଧିକାରୀ ଯେଭଳି ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ସେ ତାଗିଦ୍‌ କରିଥିଲେ।
ଭଦ୍ରକ ଜିଲାର ୭ଟି ବ୍ଲକର ୯୮୦ ଗଁାର ୫ ଲକ୍ଷ ୫୦ ହଜାର ଲୋକ ବୁଲ୍‌ବୁଲ୍‌ ବାତ୍ୟାରେ ପ୍ରଭାବିତ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ମୋଟ ୪,୪୯୪ ଘର ଭାଙ୍ଗିଛି। ୩ ଶହ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ୧୦୦ ଟି ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ଓଲଟି ପଡ଼ିଛି। ୮ଟି ୩୩ କେଭି ଖୁଣ୍ଟ ଭାଙ୍ଗି ପଡ଼ିଥିବାବେଳେ ୩୦ଟି ଟ୍ରାନ୍ସଫର୍ମର ଭୁଇଁରେ ଲୋଟି ପଡ଼ିଛି। ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ୧୫୬ ରାସ୍ତା ଅବରୋଧ ହୋଇଥିଲା। ବର୍ତ୍ତମାନ ସମସ୍ତ ରାସ୍ତା ଉପରୁ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ହଟେଇ ଦିଆଯାଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ୍‌, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଏବଂ ଅଗ୍ନିଶମ ବିଭାଗର ୬ଟି ଟିମ୍‌ ନିୟୋଜିତ ଥିଲେ। ଏହି ବାତ୍ୟାରେ ୬ ଗୃହପାଳିତ ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ଜିଲାରେ ୬୧ ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।