କ୍ଲିନିକ୍‌, ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ାଉ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ସହରରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରରେ ଥିବା ୩ଟି କ୍ଲିନିକ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କେଉଁ ସେଣ୍ଟର ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ସମସ୍ତ ସୂଚନା ଗୁପ୍ତ ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଆସି ପ୍ରଥମେ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। ପରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଜଣ ଅଧିକାରୀ ଓ ଜିଲା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ନେଇ ଚଢ଼ାଉ କରିଥିଲେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ର କହନ୍ତି, ୩ଟି ସ୍ଥାନରେ ଚଢ଼ାଉ ହୋଇଥିବା ବେଳେ କୌଣସି ରିପୋର୍ଟ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ପ୍ରଦାନ କରିନାହିଁ। ଆଗାମୀ ଦିନରେ ଏ ବିଷୟରେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଥିଲେ।