କ୍ରୀଡ଼ାମନ୍ତ୍ରୀଙ୍କ ୨ ଦିନିଆ କନ୍ଧମାଳ ଗସ୍ତ

ଫୁଲବାଣୀ ଅଫିସ,୧୬ା୧୨-ଆଇଟି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ରବିବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି। ମନ୍ତ୍ରୀ ପ୍ରଥମ ଦିନ ବିଭିନ୍ନ ଷ୍ଟାଡିୟମ ବୁଲି ଦେଖିବା ସହ ସ୍ଥିତି ପରଖିଛନ୍ତି। କନ୍ଧମାଳ ଷ୍ଟାଡ଼ିୟମ ଯାଇ ହଷ୍ଟେଲରେ ଅନ୍ତେବାସୀଙ୍କୁ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସେଠାରେ ଛାତ୍ରମାନଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ। ପରେ ମନ୍ତ୍ରୀ ଫୁଲବାଣୀ ମ୍ୟୁନିସିପାଲିଟି ଦ୍ୱାରା ନିର୍ମିତ ଏଜେଓ ହାଇସ୍କୁଲ ପଡ଼ିଆ ମିନି ଷ୍ଟାଡ଼ିୟମ, ଓପନ୍‌ ଏୟାର ଜିମ୍‌ ବୁଲିଥିଲେ ା
ଏହାପରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ବୁଢାଦାନିସ୍ଥିତ ମିନି ଷ୍ଟାଡ଼ିୟମ ବୁଲିବା ସହିତ ସ୍ଥାନୀୟ କ୍ରୀଡ଼ାବିତମାନଙ୍କ ସହିତ କ୍ରୀଡ଼ା ସମ୍ପର୍କରେ କଥା ହୋଇଥିଲେ। ଆଇଟିଡ଼ିଏ ଦ୍ୱାରା ନିର୍ମିତ ହୋଇଥିବା ଇ-ଲାଇବ୍ରେରି ଦେଖି ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ା କନ୍ଧମାଳ ଜିଲାରେ ଏପରି ଲାଇବ୍ରେରି ହୋଇଥିବାରୁ ଜିଲା ପ୍ରଶାସନକୁ ଧନ଼୍ୟବାଦ ଦେବା ସହ ରାଜ୍ୟର ସମସ୍ତ ଜିଲାରେ ଏହା କରାଯିବା ଉଚିତ ବୋଲି କହିଥିଲେ। ପରେ ମନ୍ତ୍ରୀ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ବାଲିଗୁଡ଼ା ଯାଇଥିଲେ। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କ ସହ ଅନ୍ୟମାନେ ମନ୍ତ୍ରୀଙ୍କ ଗସ୍ତ ବେଳେ ଉପସ୍ଥିତ ଥିଲେ ା