କୋର୍ଟ ନ ଆସିଲେ ରଦ୍ଦ ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୫ା୧୧: ଓଡ଼ିଶାର ବିଭିନ୍ନ ଜିଲା ବାର୍‌ ଆସୋସିଏଶନ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନ କଲେ ଆଇନଜୀବୀମାନଙ୍କ ଲାଇସେନ୍ସ ରଦ୍ଦ ହୋଇପାରେ ବୋଲି ସର୍ବୋଚ୍ଚ ଅଦାଲତ ଚେତାବନୀ ଦେଇଛନ୍ତି। ସମସ୍ତଙ୍କୁ ନ୍ୟାୟ ମିଳିବା ଆଇନ ବ୍ୟବସ୍ଥାର ମୂଳ। ଏଥିପାଇଁ ନ୍ୟାୟିକ ବ୍ୟବସ୍ଥା ସହ ସମ୍ପୃକ୍ତ ସମସ୍ତଙ୍କର ଆବଶ୍ୟକତା ରହିଛି। ଯଦି ସେମାନେ ବିଚାର ପ୍ରକ୍ରିୟାଠାରୁ ଦୂରେଇ ରହନ୍ତି, ତେବେ ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚତ୍ତ ହେବେ। ଓଡ଼ିଶାର ଅନେକ ଓକିଲ ସଂଘର ବ୍ୟବହାର ସନ୍ତୋଷଜନକ ନୁହେଁ ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ ଅଭୟ ଏସ୍‌. ଓକାଙ୍କ ଖଣ୍ଡପୀଠ କହିବା ସହ ଅଧିକ ସମୟ ଦେବା ପାଇଁ ପଶ୍ଚିମ ଓଡ଼ିଶା ବାର୍‌ ଆସୋସିଏଶନଗୁଡ଼ିକର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବେଦନକୁ ଖାରଜ କରିଦେଇଛନ୍ତି। ଓକିଲଙ୍କ ଆନ୍ଦୋଳନକୁ ବରଦାସ୍ତ କରାଯିବ ନାହିଁ। ଯଦି ସେମାନେ ଆନ୍ଦୋଳନ ଜାରି ରଖନ୍ତି, ତେବେ ସେମାନଙ୍କ ଆୟ ଉତ୍ସକୁ ଛଡ଼ାଇ ନିଆଯିବ। ଆନ୍ଦୋଳନ ଯୋଗୁ ନ୍ୟାୟ ଅପେକ୍ଷାରେ ଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜଷ୍ଟିସ୍‌ ଏସ୍‌.କେ. କୌଲ କହିଛନ୍ତି। ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ଅଦାଲତ ଅବମାନନା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। ବୁଧବାର ସୁଦ୍ଧା ଓକିଲମାନେ କାର୍ଯ୍ୟରେ ଯୋଗ ନ ଦେଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବା ଦିଗରେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶା କରିବୁ ବୋଲି ଖଣ୍ଡପୀଠ କହିଛନ୍ତି।
ଆଇନଜୀବୀମାନେ ଧର୍ମଘଟରେ ସାମିଲ ହୋଇ କାର୍ଯ୍ୟରେ ଯୋଗ ଦେଉ ନ ଥିବାରୁ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଆବେଦନକ୍ରମେ ରାଜ୍ୟରେ ଥିବା ଜିଲା ବାର୍‌ ଆସୋସିଏଶନ, ବାର୍‌ କାଉନସିଲ ଅଫ୍‌ ଓଡ଼ିଶା (ବିସିଓ) ଏବଂ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ(ବିସିଆଇ)କୁ ସୋମବାର ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ବାର୍‌ ଆସୋସିଏଶନ କାର୍ଯ୍ୟରେ ଯୋଗ ଦେଉ ନ ଥିବା ଆଇନଜୀବୀ ଶିବୋଶଙ୍କର ମିଶ୍ର ଅଦାଲତଙ୍କୁ ଅବଗତ କରାଇବା ପରେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share