କୋରୁକୋଣ୍ଡାରେ ସରକାରୀ ନିୟମକୁ ଫୁ’: ଛାତ୍ରୀଛାତ୍ର ନିଜେ ବୋହିଲେ ବହିପତ୍ର, ସିଆର୍‌ସିସି କହିଲେ ‘ଆମେ କ’ଣ ଶ୍ରମିକ’

କୋରୁକୋଣ୍ଡା,୨୪।୪(ଡି.ଏନ.ଏ): ସାରା ବିଶ୍ୱରେ କରୋନାର ଭୟାବହତା ଦିନକୁ ଦିନ ବଢିବା ଦେଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଏହି ଛୁଟିରେ ପିଲାମାନଙ୍କୁ ଘରେ ରହି ପାଠ ପଢିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଶୁକ୍ରବାର ଘରୁ ପିଲାଙ୍କୁ ଡାକି ଶିକ୍ଷକମାନେ ସରକାରୀ ବହିକୁ ବୋହି ନେଇ ବିଦ୍ୟାଳୟରେ ରଖିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ ଶିକ୍ଷାଦାନର ଏଭଳି ଅଭାବନୀୟ ଚିତ୍ର ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତର ସି-କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

ଗୋଟିଏପଟେ ଲକଡାଉନରେ ପିଲାମାନେ ଘରୁ ନ ବାହାରି କିପରି ଘରେ ରହି ପାଠ ପଢିବେ ଏବଂ ସରକାରୀ ବହି କିପରି ପିଲାମାନଙ୍କ ଘରେ ଘରେ ପହଞ୍ଚିବ, ସେନେଇ ସରକାର ଶିକ୍ଷା ବିଭାଗକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିୟମକୁ ଖାତିର ନ କରି ତାରଲାକୋଟା ଅଞ୍ଚଳର ସିଆର୍‌ସିସି ଶରତ ଚନ୍ଦ୍ର ପାଢ଼ୀ ପିଲାଙ୍କୁ ଘରୁ ଘରୁ ଡାକି ନିଜ ଗାଡିରୁ ସରକାରୀ ବହି ଗୁଡିକୁ ନେଇ ବିଦ୍ୟାଳୟରେ ରଖୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି କରୋନା ନିମନ୍ତେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସିଆର୍‌ସିସି ଏହି ନିୟମକୁ ନ ମାନି ପ୍ରଚଣ୍ଡ ଖରାରେ ପିଲାମାନଙ୍କୁ ଶ୍ରମିକ ଭାବେ କାମ କରାଉଥିଲେ। ତେବେ ଏସବୁ ଦେଖି ଗ୍ରାମବାସୀ ସିଆର୍‌ସିସି ମହୋଦୟଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ କଥାକୁ ଆଡେଇ ପିଲାମାନଙ୍କ ବହି କଣ ଆମେ ବୋହିବୁ, ଆମେ କଣ ଶ୍ରମିକ ବୋଲି ଓଲଟା ଗ୍ରାମବାସୀଙ୍କୁ ସିଆର୍‌ସିସି ପ୍ରଶ୍ନ କରିଥିଲେ। ଏନେଇ ଆମେ ବ୍ଲକ ଶିକ୍ଷାଧିକାରୀ ପତିତପାବନ ଦାସଙ୍କ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ କରିବାରୁ ତଦନ୍ତକାରୀ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଥିବା ସୂଚନା ମିଳିଛି। ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।