କୋରାପୁଟରେ ହେବ ସିପେଟ୍‌

ଭୁବନେଶ୍ୱର, ୩୦-୧୦(ବ୍ୟୁରୋ):ଭୁବନେଶ୍ୱର ଭଳି କୋରାପୁଟରେ ସିପେଟ୍‌ (ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ୍‌ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ପ୍ରତିଷ୍ଠା ହେବ ବୋଲି କହିଛନ୍ତି ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ ରସାୟନ ଏବଂ ପେଟ୍ରୋକେମିକାଲ୍ସ ବିଭାଗ ସଚିବ ପି. ରାଘବେନ୍ଦ୍ର ରାଓ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନଠାରେ ମଙ୍ଗଳବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଓ ଯୋଗଦେଇ ଏହା କହିଥିଲେ। ପାରାଦୀପର ପେଟ୍ରୋଲିୟମ୍‌, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶ ଅଞ୍ଚଳ (ପିସିପିଆଇଆର୍‌) ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ବୋଲି ରାଓ କହିଛନ୍ତି। ପାରାଦୀପ ପିସିପିଆଇଆର୍‌ ପ୍ରକଳ୍ପ ୨୮୪ ବର୍ଗ କି.ମି. ଅଞ୍ଚଳକୁ ନେଇ ବିକାଶ କରାଯାଉଛି। ଏଥିଲାଗି ମୌଳିକ ଭିତ୍ତିଭୂମି କାର୍ଯ୍ୟ ତ୍ୱରିତ ବେଗରେ କରାଯାଉଛି ବୋଲି ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା ଜଣାଇଛନ୍ତି। ଏଥିପାଇଁ ପରିବେଶ ଅନୁମତି ସହ ଅନ୍ୟାନ୍ୟ ବୈଧାନିକ ଅନୁମତି ପ୍ରକ୍ରିୟାକୁ କେନ୍ଦ୍ରୀୟସ୍ତରରେ ତ୍ୱରାନ୍ବିତ କରାଇବା ପାଇଁ ଶର୍ମା ଅନୁରୋଧ କରିଛନ୍ତି। ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି, କୋରାପୁଟ ଜିଲାରେ ସିପେଟ୍‌ର କ୍ୟାମ୍ପସ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ରୀୟ ସଚିବ ନୀତିଗତ ଭାବେ ଅନୁମୋଦନ କରିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପ୍ରକଳ୍ପ ପ୍ରସ୍ତାବ ପଠାଇବା ଲାଗି କହିଛନ୍ତି। ଏହାସହ ଜଟଣୀରେ ସିପେଟ୍‌ର ଏକ ଉଚ୍ଚସ୍ତରୀୟ ଶିକ୍ଷା ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସମ୍ବନ୍ଧୀୟ ବିଷୟ ବୈଠକରେ ଆଲୋଚନା ହୋଇଛି। ଏଥିପାଇଁ ସରକାର ୧୫ ଏକର ଜମି ଯୋଗାଇ ଦେଇଛନ୍ତି ବୋଲି ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଜଣାଇଛନ୍ତି। ଆନ୍ତର୍ଜାତିକ ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ନଭେମ୍ବର ୧୧ ଏବଂ ୧୨ରେ ମୁମ୍ବାଇରେ ଏକ ଆନ୍ତର୍ଜାତିକ ପେଟ୍ରୋକେମିକାଲ୍ସ ସମ୍ମିଳନୀ ହେବ। ଏଥିରେ ଅଂଶଗ୍ରହଣ କରିବା ଲାଗି କେନ୍ଦ୍ରୀୟ ସଚିବ ଅନୁରୋଧ କରିଛନ୍ତି। ଉକ୍ତ ସମ୍ମିଳନୀରେ ଯୋଗଦେଇ ପାରାଦୀପରେ ଥିବା ପ୍ଲାଷ୍ଟିକ ପାର୍କ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉପସ୍ଥାପନ କରିବା ପାଇଁ ଶିଳ୍ପ ବିଭାଗ ଏବଂ ଇଡ୍‌କୋକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।