କୋଭିଡ୍‌-୧୯ ମୁକାବିଲା: ୫୨୩୧ କୋଭିଡ୍‌ କୋଚ୍‌ ହସ୍ତାନ୍ତର କରିବ ରେଳପଥ

ଭୁବନେଶ୍ୱର,୮।୫(ବ୍ୟୁରୋ):ରେଳ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ୫୨୩୧ଟି କୋଚ୍‌କୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କରାଯାଇଥିବାବେଳେ ଏହାକୁ ଖୁବ୍‌ଶୀଘ୍ର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ବିଶେଷ ଲକ୍ଷଣ ନ ଥିବା କୋଭିଡ୍‌ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଙ୍ଗରୋଧ ଲାଗି ଏହି କୋଚ୍‌ଗୁଡ଼ିକୁ ବ୍ୟବହାର କରାଯିବ। ବିଶେଷକରି କୋଭିଡ୍‌ ସନ୍ଦିଗ୍ଧଙ୍କ ସଂଖ୍ୟା ଅଧିକ ରହିଲେ, ସେ କ୍ଷେତ୍ରରେ ଏହି କୋଚ୍‌ଗୁଡିକୁ ଉପଯୋଗ କରାଯାଇପାରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କୋଭିଡ ଯତ୍ନ କେନ୍ଦ୍ର ଥିବା ଦେଶର ୨୧୫ ଷ୍ଟେଶନ ମଧ୍ୟରୁ ୮୫ଟିରେ ରେଳପଥ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ବଳକା ୧୩୦ ଷ୍ଟେଶନରେ ରାଜ୍ୟଗୁଡ଼ିକ କର୍ମଚାରୀ ଓ ଔଷଧ ଯୋଗାଇବା ନିମନ୍ତେ ସହମତ ହେଲେ କୋଭିଡ ଯତ୍ନ କୋଚ୍‌ର ସୁବିଧା ନେବା ପାଇଁ ପ୍ରସ୍ତାବ ଦେଇପାରିବେ। ସେହିପରି ୧୫୮ଟି ଷ୍ଟେଶନରେ ପାଣି ଓ ଚାର୍ଜିଂ ସୁବିଧା ଏବଂ ୫୮ ଷ୍ଟେଶନରେ କେବଳ ପାଣି ସୁବିଧା ଉପଲବ୍ଧ ହେବ। ଓଡ଼ିଶାରେ କୋଭିଡ ଯତ୍ନ କେନ୍ଦ୍ର ପାଇଁ ପ୍ରସ୍ତୁତ ରଖାଯାଇଥିବା ୯ ଷ୍ଟେଶନ ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଓ ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଜଙ୍କଶନ, ସୁନ୍ଦରଗଡ଼ ଜିଲାର ରାଉରକେଲା ଜଙ୍କଶନରେ ବିଦ୍ୟୁତ୍‌ ଓ ଜଳଯୋଗାଣ ସୁବିଧା ଉପଲବ୍ଧ ହେବ। ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍‌ ଜଙ୍କଶନରେ କେବଳ ପାଣି ସୁବିଧା ରହିବ। ରାଜ୍ୟମାନଙ୍କୁ କୋଚ ଆବଣ୍ଟନ ପରେ ଟ୍ରେନରେ ଆବଶ୍ୟକ ଭିତ୍ତିଭୂମି ସହିତ ଆବଶ୍ୟକ ଥିବା ଷ୍ଟେଶନରେ ଏହାକୁ ଛିଡ଼ା କରାଯାଇ ଜିଲାପାଳ କିମ୍ବା କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ଅବଗତ କରାଯିବ। ତେବେ କୋଭିଡ-୧୯ ମୁକାବିଲା ଲାଗି ୨୫ ହଜାରରୁ ଅଧିକ ଡାକ୍ତର ଓ ୩୫ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଭାରତୀୟ ରେଳପଥ ନିଯୁକ୍ତି ଦେଇଛି। ପ୍ରତିକୂଳ ପରିସ୍ଥିତିରେ ଜାତୀୟ ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ସହ କରୋନା ବିରୋଧରେ କେନ୍ଦ୍ର ସରକାରଙ୍କ ସହାୟତା ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି।