Categories: ରାଜ୍ୟ

କୋଭିଡ୍‌-୧୯କୁ ନେଇ ସ୍ବତନ୍ତ୍ର ଡାକ ଲଫାପା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): କୋଭିଡ଼-୧୯ ମହାମାରୀକୁ ନେଇ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଡ଼ାକ ଲଫାଫା। ମଙ୍ଗଳବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଉନ୍ମୋଚନ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ମାସ୍କର ବ୍ୟବହାର ଅତ୍ୟନ୍ତ ଜରୁରୀ। ଏହି ସ୍ବତନ୍ତ୍ର ଡ଼ାକ ଲଫାଫା ମାଧ୍ୟମରେ ମାସ୍କର ବ୍ୟବହାରକୁ ଦୈନଦିନ ଜୀବନ ଶୈଳୀର ଏକ ଅଂଶବିଶେଷ କରିବାକୁ ବାର୍ତ୍ତା ଦିଆଯାଇଛି। ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀ ଅପିନ୍ଦ୍ର ସ୍ବାଇଁଙ୍କ ଚିତ୍ରକୁ ଆଧାର କରି ଲଫାଫାକୁ ପ୍ରସ୍ତୁତ କରାଯାଇଛି। ଏଥି ସହିତ ଓଡ଼ିଶାର ୧୦ଜଣ ମହାନ ତଥା ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନେଇ ସ୍ବତନ୍ତ୍ର ୧୦ଟି ପିକ୍ଚର ପୋଷ୍ଟକାର୍ଡ଼କୁ ମଧ୍ୟ ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ଓ ଆଧୁନିକ ଓଡ଼ିଶାର ନିର୍ମାତାମାନଙ୍କ ତ୍ୟାଗ ଓ ଅବଦାନକୁ ସମ୍ମାନ ପ୍ରଦର୍ଶନ ସ୍ବରୂପ ଏସବୁ ପିକ୍ଚର ପୋଷ୍ଟକାର୍ଡ଼ ପ୍ରସ୍ତୁତ ହୋଇଛି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଭି.ଭି. ଗିରି, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ ରହିଛନ୍ତି। ଓଡ଼ିଶା ଡ଼ାକ ମଣ୍ଡଳର ଏହି ମହତ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିବା ସହ ଭାରତୀୟ ଡାକର ସାମାଜିକ ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ଆଶାପ୍ରକଟ କରିଛନ୍ତି। ଓଡ଼ିଶା ଡାକ ମଣ୍ଡଳର ମୁଖ୍ୟ ମହା ଡାକପାଳ ସୁବାସ ଚନ୍ଦ୍ର ବର୍ମା ଏହି ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଉନ୍ମୋଚନ ଉତ୍ସବରେ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ମଧ୍ୟ ଉପସ୍ଥିତ ଥିଲେ।